ଚଢାଉ ପରେ ମୁଁ ଆଉ ଶସ୍ତା ନୁହେଁ ବୋଲି କହିଥିଲେ ତାପସୀ । କଙ୍ଗନା କହିଲେ, ତୁମେ ଶସ୍ତା ଥିଲ, ଶସ୍ତା ରହିବ । 

555

କନକ ବ୍ୟୁରୋ : ମାର୍ଚ୍ଚ ୩ରେ ଆୟକର ବିଭାଗ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଆୟକର ବିଭାଗର ଏହି ଚଢ଼ାଉ ପରେ ଏବେ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ପୂର୍ବରୁ ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ଅନେକ ଟୁଇଟର ୱାର ହୋଇଥିବା ଦେଖାଯାଇଛି। ହେଲେ ଏବେ ଆୟକର ବିଭାଗର ଚଢ଼ାଉ ପରେ ପୁଣି ଥରେ ତାପସୀଙ୍କୁ ଟାର୍ଗେଟ କରି କଙ୍ଗନା କହିଛନ୍ତି ତୁମେ ଶସ୍ତା ଥିଲ, ଶସ୍ତା ରହିବ।

ସୂଚନା ମୁତାବକ, ଆୟକର ବିଭାଗର ଚଢ଼ାଉ ପରେ ତାପସୀ ଟୁଇଟ କରିଥିଲେ ଯେ, ତିନି ଦିନ ଧରି ଆୟକର ବିଭାଗର ଚଢ଼ାଉ ପରେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଛି ସେଥିରେ ଉଲ୍ଲେଖ ରହିଛି ଯେ, ପ୍ୟାରିସରେ ମୋର ଏକ ବଙ୍ଗଳା ରହିଛି ଏବଂ ଦ୍ୱିତୀୟରେ ମୋ ପାଖରୁ ପାଞ୍ଚ କୋଟି ଟଙ୍କାର ରସିଦ ମିଳିଛି। ଏହି ଦୁଇଟି ଖବର ସଂପୂର୍ଣ୍ଣ ମିଥ୍ୟା ଅଟେ। ଏହା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୧୩ରେ ମଧ୍ୟ ମୋ ଘର ଉପରେ ଚଢ଼ାଉ କରାଯାଇଥିଲା। ଏହା ମଧ୍ୟ ମିଥ୍ୟା ଅଟେ। କାରଣ ୨୦୧୩ରେ ମୋ ଘରେ କୌଣସି ପ୍ରକାରର ଚଢ଼ାଉ ହୋଇନଥିଲା। ୩ଟି ଜିନିଷ ଜଣାଇବା ସହ ‘ମୁଁ ଆଉ ଶସ୍ତା ନୁହେଁ’ ବୋଲି ଲେଖିଥିଲେ ତାପସୀ। ପୂର୍ବରୁ କଙ୍ଗନା ତାପସୀଙ୍କୁ ଶସ୍ତା ଅଭିନେତ୍ରୀ ବୋଲି କହିଥିବା ବେଳେ ତାପସୀ ଏଭଳି ଟୁଇଟ କରି କଙ୍ଗନାଙ୍କୁ ଜବାବ ଦେଇଥିବା ଚର୍ଚ୍ଚା ହୋଇଥିଲା।

ଏହା ପରେ ତାପସୀଙ୍କ ‘ମୁଁ ଆଉ ଶସ୍ତା ନୁହେଁ’ ଟୁଇଟର ଜବାବ ଦେଇ କଙ୍ଗନା କହିଛନ୍ତି ଯେ, ତୁମେ ସବୁବେଳେ ଶସ୍ତା ରହିବ। ୨୦୧୩ରେ ତୁମର ରିଙ୍ଗ ମାଷ୍ଟରଙ୍କ ଘର ଉପରେ ଆୟକର ଫାଙ୍କିବା ନେଇ ଚଢ଼ାଉ କରାଯାଇଥିଲା ଏବଂ ଯଦି ତୁମେ ଚୋରି କରି ନାହଁ, ତେବେ ତୁମ ପାଇଁ କୋର୍ଟ ଖୋଲା ଅଛି। କୋର୍ଟକୁ ଯାଅ ଏବଂ ନିଜକୁ ନିର୍ଦ୍ଦୋଷ ପ୍ରମାଣ କର।