କନକ ବ୍ୟୁରୋ: ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ଦେବା ପରେ, ଏହାକୁ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ଏହାପରେ ଏବେ ସମାଜବାଦୀ ପାର୍ଟିର ନେତା ତଥା ଏମଏଲଏସି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଧ୍ୟ ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, ସବୁ ଧର୍ମକୁ ସେ ସମ୍ମାନ କରନ୍ତି । ହେଲେ ଧର୍ମ ନାଁରେ ଜାତି ବିଶେଷ ଓ ବର୍ଗ ବିଶେଷକୁ ଅପମାନିତ କରାଯାଉଛି । ଯାହାକୁ ନେଇ ସେ ଆପତ୍ତି ଉଠାଇଛନ୍ତି ।

Advertisment

ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ବି କୋଟି କୋଟି ଲୋକ ରାମଚରିତ ମାନସ ପଢିନାହାଁନ୍ତି । ଏଥିରେ ସବୁକିଛି ଅଯଥା କଥା ଲେଖାହୋଇଛି । ରାମଚରିତ ମାନସର ରଚୟିତା ତୁଳସୀ ଦାସ ନିଜର ଖୁସି ପାଇଁ ଏହାକୁ ଲେଖିଥିଲେ । ତେଣୁ ସରକାର ରାମଚରିତ ମାନସର ଆପତ୍ତିଜନକ ଅଂଶକୁ ହଟେଇବା ସହ ଏହି ପୁସ୍ତକକୁ ବ୍ୟାନ କରିଦେବା ଉଚିତ୍ ବୋଲି ସେ କହିଛନ୍ତି ।

ୟୁପିର ଏହି ନେତାଙ୍କ କହିବା କଥା, ତୁଳସୀ ଦାସଙ୍କ ରାମଚରିତମାନସର କିଛି ଅଂଶ ଏମିତି ଅଛି, ଯାହାକୁ ନେଇ ଆପତ୍ତି ଉଠୁଛି । କୌଣସି ବି ଧର୍ମର ଲୋକ ଅନ୍ୟ ଧର୍ମକକୁ ଗାଳି କରିବାର ଅଧିକାର ନାହିଁ । ତୁଳସୀଦାସଙ୍କ ରାମଚରିତମାନସରେ ସେ ଶୁଦ୍ର ଜାତିକୁ ଅଧ୍ୟମ ଜାତି ହେବାର ସାର୍ଟିଫିକେଟ୍ ଦେଇଛନ୍ତି ବୋଲି ସେ କହିଛନ୍ତି । ଯାହାକୁ ନେଇ ଏକ ବଡ ବିବାଦ ଠିଆ ହେବାର ଆଶଙ୍କା କରାଯାଉଛି ।

ତେବେ ଖାଲି ସେତିକି ନୁହେଁ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବ୍ରାହ୍ମଣଙ୍କ ଉପରେ ମଧ୍ୟ କଟୁ କଥା କହିଛନ୍ତି । ବ୍ରାହ୍ମଣ ଲମ୍ପଟ, ଦୂରାଚାରୀ, ମୁର୍ଖ ହେଲେ ମଧ୍ୟ ସେ ପୂଜନୀୟ ବୋଲି ଏଥିରେ କୁହାଯାଇଛି । ତା ସହିତ ଶୁଦ୍ର ଜ୍ଞାନୀ, ବିଦ୍ୱାନ ହେଲେ ମଧ୍ୟ ତାଙ୍କ ସମ୍ମାନ ନକରିବାକୁ କୁହାଯାଇଛି । କଣ ଏହା ଧର୍ମ ବୋଲି ସେ ପ୍ରଶ୍ନ କରିବା ସହିତ, ଯଦି ଏହା ଧର୍ମ ହୁଏ ତେବେ ସେଭଳି ଧର୍ମକୁ ସେ ନମସ୍କାର କରୁଛନ୍ତି ବୋଲି ତାତ୍ସଲ୍ୟ କରି କହିଛନ୍ତି । ଏମିତି ଧର୍ମର ସତ୍ୟାନାଶ ହେଉ, ଯେଉଁମାନେ ଆମର ସତ୍ୟାନାଶ ଚାହୁଁଛନ୍ତି ସେମାନଙ୍କର ସତ୍ୟାନାଶ ହେଉ ବୋଲି ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ।