ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ‘କମ୍ପ୍ୟୁଟର ବାବା’: ବିଜେପି କହିଲା, ବିବାଦ ଘେରରେ ଥିବା ବାବା କିପରି ହେଉଛନ୍ତି ଯାତ୍ରାରେ ସାମିଲ

95

କନକ ବ୍ୟୁରୋ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ସନ୍ଥ ନାମଦେବ ଦାସ ତ୍ୟାଗି ଓରଫ ‘କମ୍ପ୍ୟୁଟର ବାବା’ଙ୍କ ସାମିଲ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । କମ୍ପ୍ୟୁଟର ବାବା ଶନିବାର ମଧ୍ୟପ୍ରଦେଶର ଆଗ୍ରା ମାଲୱା ଜିଲ୍ଲାର ମହୁଦିଆ ଗ୍ରାମରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହୋଇଥିଲେ । ଯାତ୍ରା ସମୟରେ ଉଭୟ ରାହୁଲ ଓ କମ୍ପ୍ୟୁଟର ବାବା ପରସ୍ପର ସହ କଥାବାର୍ତା ହୋଇଥିଲେ । ରାହୁଲଙ୍କ ସହ କମ୍ପ୍ୟୁଟର ବାବାଙ୍କ ଯାତ୍ରାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି ।

ଯାତ୍ରାକୁ କଟାକ୍ଷ କରି ବିଜେପି କହିଛି ଯେ ଜେଏନୟୁର ପୂର୍ବତନ ଛାତ୍ର କହ୍ନେୟା କୁମାର ଓ ଅଭିନେତ୍ରୀ ସ୍ୱରା ଭାସ୍କର ପରେ ଏବେ କମ୍ପ୍ୟୁଟର ବାବା । ସରକାରୀ ଜମି ହଡ଼ପ ମାମଲାରେ କମ୍ପ୍ୟୁଟର ବାବା ଜେଲରେ ରହିଥିଲେ । ସେଭଳି ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ ଯାତ୍ରାରେ କିପରି ଯାତ୍ରା କରିପାରୁଛନ୍ତି । ସେପଟେ ବିଜେପି ଆକ୍ରମଣର ପାଲଟା ଜବାବ ଦେଇଛି କଂଗ୍ରେସ । କଂଗ୍ରେସ କହିଛି, ସନ୍ଥ ଓ ଧାର୍ମିକ ନେତା ଭାରତ ଯୋଡ଼ ଯାତ୍ରାରେ ସାମିଲ ହେଉଛନ୍ତି । ଯାତ୍ରାରେ ସାମିଲ ହେଉଥିବା ସମସ୍ତଙ୍କୁ ସ୍ୱାଗତ କରାଯାଉଛି । କାରଣ ଏହି ଯାତ୍ରା ଦେଶର ହିତ ପାଇଁ ହେଉଛି ।

ରାହୁଲଙ୍କ ଭାରତ ଯୋଡ ଯାତ୍ରା ଦକ୍ଷିଣ ଭାରତ, ମହାରାଷ୍ଟ୍ର ପରେ ଏବେ ରାଜସ୍ଥାନରେ ପଂହଚିଛି । ଆଉ ଏହି ଯାତ୍ରାରେ ଅନେକ ପ୍ରମୁଖ ବ୍ୟକ୍ତି ସାମିଲ ହେଉଛନ୍ତି । କିନ୍ତୁ ଆଗାମୀ ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ କମ୍ପ୍ୟୁଟର ବାବା ବିବାଦ ଜରିଆରେ କଂଗ୍ରେସ ବିରୋଧରେ ବିଜେପିକୁ ଏକ ପ୍ରସଙ୍ଗ ମିଳିଯାଇଛି ।

ଏବେ ଆସନ୍ତୁ ନଜର ପକାଇବା ଏହି ‘କମ୍ପ୍ୟୁଟର ବାବା’ କିଏ?
ନାମଦେବ ଦାସ ତ୍ୟାଗୀ ଜଣେ ହିନ୍ଦୁ ତପସ୍ୱୀ ଏବଂ ପରିବେଶବିତ୍
– ବିଚକ୍ଷଣ ସ୍ମରଣ ଶକ୍ତି ପାଇଁ ବେଶ୍ ପରିଚିତ
– ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସକ୍ରିୟ ଅଛନ୍ତି
– ସେଥିପାଇଁ କମ୍ପ୍ୟୁଟର ବାବା ଭାବେ ହୋଇଥିଲେ ପରିଚିତ
– ବେଆଇନ ଖଣି ଅଭିଯୋଗରେ ଚଢ଼ାଉକୁ ନେଇ ବିବାଦକୁ ଆସିଥିଲେ ବାବା
– ୧୩ କୋଟି ଟଙ୍କାର ୪୦ହଜାର ବର୍ଗଫୁଟ ଜମି ଜବରଦଖଲ ମୁକ୍ତ ନେଇ ହୋଇଥିଲା ମାମଲା
– ଇନ୍ଦୋର ନିକଟରେ ଥିବା ତାଙ୍କ ବେଆଇନ୍ ଆଶ୍ରମ ନିର୍ମାଣକୁ ଭାଙ୍ଗିଥିଲା ଜିଲ୍ଲା ପ୍ରଶାସନ
– ବିରୋଧ କରି ପଂଚାୟତ କର୍ମଚାରୀଙ୍କୁ ମାଡ଼ ମାରିଥିଲେ
– ୨୦୨୦ରେ ମାଡ଼ ମାରିବା ଅଭିଯୋଗରେ ଗିରଫ

ରାହୁଲଙ୍କ ଭାରତ ଯୋଡ ଯାତ୍ରା ମଧ୍ୟପ୍ରଦେଶରେ ଥିବାବେଳେ ବିବାଦୀୟ ବାବାଙ୍କ ଉପସ୍ଥିତି ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି ।