ଠକିଦେଲା ଠକ ଠିକାଦାର । କୋଠାଘର ତିଆରି କରାଇବାର ସ୍ୱପ୍ନ ଦେଖାଇଲା, ଗରିବ ଆଦିବାସୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ଛୁ ହୋଇଗଲା ।

176

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବାକୁ କହି ନେଇଗଲେ ପଇସା । ହାତରେ ୱାର୍କ ଅର୍ଡ଼ର ଧରାଇ ଚୁପ ବସିପଡ଼ିଲା ପ୍ରଶାସନ । ଜଳକା ହୋଇ ରହିଲେ କୋରାପୁଟ ବୈପାରୀଗୁଡାର ନିରୀହ ଆଦିବାସୀ ହିତାଧିକାରୀ । ନା ମିଳିଲା ଘର ନା ପଇସା ।

ଆବାସ ଯୋଜନାରେ ଖାଲି ଦୁର୍ନୀତି ଆଉ ଦୁର୍ନୀତି । କେଉଁଠି ଘର କରାଇ ଦେବାକୁ କହି ଠିକାଦାର ଟଙ୍କା ନେଇ ଯାଇଛି, ତ ଆଉ କେଉଁଠି ହାତ ଗୁଞ୍ଜା ଦେଲେ ହିତାଧିକାରୀ ତାଲିକାରେ ଉଠୁଛି ନାଁ । ସାରା ରାଜ୍ୟରୁ ଏମିତି ଅଭିଯୋଗ ଆସୁଛି । କୋରାପୁଟ ଜିଲ୍ଲା ବୈପାରି ଗୁଡ଼ା ବ୍ଳକ ସିରିଗୁଡ଼ା ଗାଁର ରୁକ୍ମଣୀ ମାଠବାରିଅ।।  ଝାଟି ମାଟିର ଚାଳ ଛପର ଘରେ ରହୁଥିବା ରୁକ୍ମଣୀଙ୍କୁ ୨୦୧୯ରେ ଆବାସ ଯୋଜନାରେ ଘର ପାଇଁ କାର୍ଯ୍ୟାଦେଶ ମିଳିଥିଲା । ୱାର୍କ ଅର୍ଡ଼ର ମିଳିବା ପରେ ଘରେ ପହଞ୍ଚି ଯାଇଥିଲା ଠକ ଠିକାଦାର । କୋଠାଘର ତିଆରି କରାଇ ଦେବାର ସ୍ୱପ୍ନ ଦେଖାଇ ୱାର୍କ ଅର୍ଡ଼ର ହାତେଇ ନେବା ପରେ ଠକି ଦେଇଛି ଠିକାଦାର । ଘର ନିର୍ମାଣ ଅଧାରେ ଛାଡି ରୁକ୍ମଣୀଙ୍କ ବ୍ୟାଙ୍କ ଖାତାକୁ ଆସିଥିବା ୧ ଲକ୍ଷ ୩୦ ହଜାର ଉଠାଇ ନେଇଛି ।

ବୈପାରିଗୁଡ଼ା ବ୍ଳକରେ ରହିଛି ୨୦ଟି ପଂଚାୟତ । ବର୍ଷକୁ ୪ରୁ ୫ ହଜାର ଲୋକ ଆବାସ ଯୋଜନାରେ ଘର ପାଇଁ ଆବେଦନ କରନ୍ତି । ହେଲେ ମିଳେ ମାତ୍ର ଶହେରୁ ଦେଢ଼ଶହ ଘର । ଆଉ ଘର ମିଳିବା ମାତ୍ରେ ଗରିବ ହିତାଧିକାରୀଙ୍କୁ ମାଡି ବସନ୍ତି ଠକ ଠିକାଦାର । ସେପଟେ ସରକାରୀ ଯୋଜନା କାର୍ଯ୍ୟକାରୀ କରାଇବା ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ କହିଛନ୍ତି ଦଲାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି ।