ପାଣିରେ ବୁଡିଛି ପାଚିଲା ଧାନ : ବର୍ଷସାରାର ପରିଶ୍ରମ ବର୍ଷା ଧୋଇଦେବା ପରେ ଚାଷୀ ମୁଣ୍ଡରେ ପଡିଛି ଚଡକ

ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀରୁ ଆସିଲା ଉଜୁଡା ଧାନବିଲର ଚିତ୍ର; ଧାମରା ବନ୍ଦର ଘେରିଲେ କ୍ଷତିଗ୍ରସ୍ତ ଚାଷୀ

92

କନକ ବ୍ୟୁରୋ : ବାତ୍ୟା ଜାତ୍ୟଦ୍ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଧାନ ବିଲ ପାଣିରେ ବୁଡି ରହିଛି । କ୍ଷେତ୍ରରେ ଆଁଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ପାଣିରେ ଧାନଗଛ ପଚି ଯିବାର ଆଶଙ୍କା ରହିଛି  । ଅମଳ ସମୟରେ ବର୍ଷା, ପାଚିଲା ଧାନକୁ ନଷ୍ଟ କରିଦେଇଛି । ଜଗତସିଂହପୁର ଜିଲ୍ଲାର ପ୍ରାୟ ୫୫ ହଜାର ହେକ୍ଟର ଚାଷ ଜମି ଏଥିରେ ପ୍ରଭାବିତ ହୋଇଛି । ନିଜ ଆଖି ଆଗରେ ବିଲରେ ବର୍ଷଯାକର ଅମଳ ଧାନ ଧୋଇଯିବା ଦେଖବା ପରେ ହତାଶ ହୋଇଛନ୍ତି ଚାଷୀ ।

ଜାତ୍ୟଦ୍ ପ୍ରଭାବରେ ପୁରୀ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଗୋପ ବ୍ଲକ ଛଇତନା ଇଟିଭୂଆଁ ପଂଚାୟତରେ ହୋଇଥିବା ଚାଷ ଏବେ ବର୍ଷାରେ ଧୋଇହୋଇଯାଇଛି । ଚାଷ ଜମି ପାଣି ବୁଡିରହିଥିବା ବେଳେ ଅମଳ ଧାନ ଗଜା ହୋଇଯାଇଛି, ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଧାମରା ବନ୍ଦର ଘେରିଲେ ଚାନ୍ଦବାଲିର କ୍ଷତିଗ୍ରସ୍ତ ଚାଷୀ । ଜାୱାଦ ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ଦ୍ୱାରା ଚାଷକାର୍ଯ୍ୟ ପ୍ରଭାବିତ ହୋଇଛି ।

ବର୍ଷା ଜଳ  ମନ୍ତେଇ ନଦୀ ଦେଇ ସମୁଦ୍ରକୁ ଚାଲିଯିବା କଥା ମାତ୍ର ଧାମରା ବନ୍ଦର କମ୍ପାନୀ ନିର୍ମାଣ କରିଥିବା ରେଳପଥ ଏହି ଜଳ ନିସ୍କାସନରେ ବାଧା ସୃଷ୍ଟି କରୁଛି । କମ୍ପାନୀ ଜଳ ନିସ୍କାସନ ପଥ ବନ୍ଦ କରିବାରୁ ଏହି ଜଳ ଏବେ ଜମିରେ ରହିବା ଦ୍ୱାରା ପାଚିଲା ଧାନ ପଚିଗଲାଣି । ପୂର୍ବରୁ ଚାଷୀମାନେ ଏନେଇ ଅବଗତ କରାଇଥିଲେ ବି ବନ୍ଦର କତୃପକ୍ଷ ଶୁଣୁନଥିବା ଅଭିଯୋଗ, ଯାହାକୁ ବିରୋଧ କରି ବନ୍ଦର ଫାଟକ ବନ୍ଦ କରି ଆନ୍ଦୋଳନ କରୁଛନ୍ତି କ୍ଷତିଗ୍ରସ୍ତ ଚାଷୀ ।