ନୂଆ କୃଷିବିଲ୍ କୁ ନେଇ ମତ ରଖିଲେ ପ୍ରଧାନମନ୍ତ୍ରୀ । କହିଲେ ବ୍ୟବସାୟରେ ସୀମିତ ନ ରହୁ କଣ୍ଟାକ୍ଟ ଫାର୍ମିଂ

ବ୍ୟବସାୟରେ ସୀମିତ ନ ରହୁ କଣ୍ଟାକ୍ଟ ଫାର୍ମିଂ : ମୋଦି

213

କନକ ବ୍ୟୁରୋ : ନୂତନ କୃଷିବିଲ୍ କୁ ବିରୋଧ କରି ଗୋଟିଏ ପଟେ ୩ ମାସରୁ ଉର୍ଦ୍ଧ ହେବ କୃଷକ ମାନେ ଆନ୍ଦୋଳନ ଚଳାଇଥିବା ବେଳେ ଏନେଇ ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କି ଦେଶରେ କୃଷିକ୍ଷେତ୍ର ଓ କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି । କୃଷକ ମାନେ କିଭଳି ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବେ ଓ ସେସବୁ କୁ ଠିକରେ ପ୍ରକିୟାକରଣ କରିବା ସହ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି କରିବେ ତାହା ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି କି ଏହି ବ୍ୟବସ୍ଥା ଯଦି ୨/୩ ଦଶକ ପୂର୍ବରୁ ଆରମ୍ଭ କରାଯାଇପାରିଥାନ୍ତା ତେବେ କୃଷକ ମାନେ ଆଜି ଆତ୍ମହତ୍ୟା କରିବା ଭଳି ପନ୍ଥା ଅପଣାଉ ନଥାନ୍ତେ । ଋଣ, ବିହନ, ସାର ଓ କୀଟନାଶକ ଆଜି ବଜାର କୃଷକ ମାନଙ୍କର ପ୍ରାଥମିକ ଆବଶ୍ୟକତା । ଏନେଇ ସେମାନଙ୍କ ପାଖରେ ଆର୍ଥିକ ସହାୟତା ଠିକ୍ ସମୟରେ ପହଂଚାଇବା ହେଉଛି ଗୁରୁତ୍ୱପୂର୍ଣ୍ଣ ।

ଅନ୍ୟପଟେ କଣ୍ଟାକ୍ଟ ଫାର୍ମିଂ ଉପରେ ବି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି କି ଦେଶରେ ବହୁବର୍ଷ ଆଗରୁ କଣ୍ଟାକ୍ଟ ଫାର୍ମିଂ ଆରମ୍ଭ ହୋଇଛି । ହେଲେ ଏହା କେବଳ ବ୍ୟବସାୟରେ ସୀମିତ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । କଣ୍ଟାକ୍ଟ ଫାର୍ମିଂ ବେଳେ ଉଭୟ ଠିକା କମ୍ପାନୀ ଓ ଚାଷୀ ମାନେ ଚାଷ ଜମି ପ୍ରତି ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହାସହ କୃଷିକ୍ଷେତ୍ରରେ ସରକାରୀ ସଂସ୍ଥା ଗୁଡିକ ବହୁବିଧ ଗବେଷଣା ଜାରି ରଖିଛନ୍ତି । ହେଲେ ଏବେ ଏସବୁ ଗୁଡିକରେ ଘରୋଇ ସେକ୍ଟର ଗୁଡିକ କାର୍ଯ୍ୟ କରିବାକୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ଫଳରେ ଦେଶରେ କୃଷକ ମାନଙ୍କର ଉତ୍ପାଦ ବୃଦ୍ଧି ସହିତ କୃଷକ ମାନଙ୍କର ଆର୍ଥିକ ବିକାଶ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ।