ସୋନିଆଙ୍କ ଆରୋଗ୍ୟ କାମନା କରି ମହାମୃତୁଞ୍ଜୟ ମନ୍ତ୍ର ଜପ ଆରମ୍ଭ । ୫ ଜଣ ପଣ୍ଡିତ ପଢୁଛନ୍ତି ମନ୍ତ୍ର, ୧୧ ଦିନ ଧରି ଚାଲିବ ପୂଜାର୍ଚ୍ଚନା ।

422

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିରରେ ମହାମୃତ୍ୟୁଞ୍ଜୟ ରୀତିନୀତି ଆରମ୍ଭ ହୋଇଛି ।  ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଏହି ପୂଜାର୍ଚ୍ଚନା ଆୟୋଜନ କରିଥିବାବେଳେ ପ୍ରତିଦିନ ୫ ଜଣ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରିବେ ।  ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିତ ହେବା ପରେ କିଭଳି ଶୀଘ୍ର ସୁସ୍ଥ ହୋଇପାରିବେ ସେଥିପାଇଁ ଆଜିଠାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

ଏହି ପୂଜାପାଠ ଆଗାମୀ ୧୧ ଦିନ ଯାଏଁ ଚାଲିବାକୁ ଥିବାବେଳେ ମହାକାଳେଶ୍ଵର ମନ୍ଦିରର ଗର୍ଭଗୃହରେ କଂଗ୍ରେସ ରାଷ୍ଟ୍ରୀୟ ସଚିବ ସତ୍ୟନାରାୟଣ ପଟେଲ, ମଧ୍ୟପ୍ରଦେଶ କଂଗ୍ରେସ କମିଟି ସଚିବ ରବି ଶୁକ୍ଲା, ରଘୁ ପରମାର ଏବଂ ଅନ୍ୟ କଂଗ୍ରେସ ନେତାମାନେ ପ୍ରାର୍ଥନା କରି ଏହି ରୀତିନୀତି ଆରମ୍ଭ କରିଥିଲେ। ଆଗାମୀ ୧୧ ଦିନ ପାଇଁ ଦୈନିକ ପାଞ୍ଚ ଜଣ ପଣ୍ଡିତଙ୍କ ଦ୍ୱାରା ମହାମୃତ୍ୟୁଞ୍ଜୟ ଜପ କରାଯିବାକୁ ଥିବାବେଳେ ପୂର୍ଣ୍ଣାହୁତି ଦିନ ପ୍ରିୟଙ୍କା ଗାନ୍ଧୀ ଏଠାକୁ ଆସିବେ ।

କଂଗ୍ରେସ ନେତା ରବି ଶୁକ୍ଲା କହିଛନ୍ତି ଯେ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିତ ହେବା ପରେ ପ୍ରିୟଙ୍କା ଗାନ୍ଧୀ ମହାକାଳେଶ୍ଵର ମନ୍ଦିରରେ ମହାମୃତ୍ୟୁଞ୍ଜୟ ଜପ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଶନିବାର ଠାରୁ ଏହା ଆରମ୍ଭ ହୋଇଛି ।  ଏହି ରୀତିନୀତି ୧୧ ଦିନ ଦିନ ଯାଏଁ ଚାଲିବ ଏବଂ ଶେଷ ଦିନରେ ପ୍ରିୟଙ୍କା ଗାନ୍ଧୀ ଏହି ରୀତିନୀତି ପାଇଁ ମହାକାଳେଶ୍ଵର ମନ୍ଦିରରେ ପହଞ୍ଚିପାରନ୍ତି  ବୋଲି ସୂଚନା ମିଳିଛି ।