ପୁଣି କଂଗ୍ରେସ ମଙ୍ଗ ଧରିବେ ରାହୁଲ! ସଙ୍କଳ୍ପ ପାରିତ କଲେ ୩ ରାଜ୍ୟ କଂଗ୍ରେସ

120

କନକ ବ୍ୟୁରୋ: କଂଗ୍ରେସର ନୂଆ ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖିଆ ପଦବୀରେ ବସାଇବା ପାଇଁ ଦାବି ଜୋର ଧରିଛି । ରାଜସ୍ଥାନ ପରେ ଛତିଶଗଡ଼ ଏବଂ ଗୁଜରାଟ କଂଗ୍ରେସ ରାହୁଲଙ୍କୁ ପୁଣି ଥରେ କଂଗ୍ରେସର ମଙ୍ଗ ଧରିବାକୁ ସଙ୍କଳ୍ପ ପାରିତ କରିଛି । ଗୁଜରାଟରେ ଦଳର ସଭାପତି ଜଗଦୀଶ ଠାକୁର ପିସିସି କର୍ମକର୍ତା ବୈଠକରେ ଆଣିଥିବା ଏହି ପ୍ରସ୍ତାବକୁ ସମସ୍ତେ ସମର୍ଥନ ଜଣାଇଛନ୍ତି । ସେହିପରି ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ବାଘେଲ ରାହୁଲଙ୍କୁ ସଭାପତି କରିବାକୁ ଆଣିଥିବା ପ୍ରସ୍ତାବ ମଧ୍ୟ ନିଦ୍ୱର୍ନ୍ଦରେ ପାରିତ ହୋଇଛି । ପୂର୍ବରୁ ରାଜସ୍ଥାନ କଂଗ୍ରେସ ଏନେଇ ସଙ୍କଳ୍ପ ପାରିତ କରିଥିବାରୁ ରାହୁଲ ପୁଣି ଥରେ କଂଗ୍ରେସ ମଙ୍ଗ ଧରିବେ ବୋଲି କୁହାଯାଉଛି ।

ଆସନ୍ତା ଅକ୍ଟୋବର ୧୯ ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ ହେବାକୁ ଥିବା ବେଳେ ରାହୁଲଙ୍କୁ ସଭାପତି କରିବାକୁ ଦଳର ବରିଷ୍ଠ ନେତାମାନେ ସମର୍ଥନ ଜଣାଇଛନ୍ତି । ରାହୁଲ ସଭାପତି ହୁଅନ୍ତୁ କି ନାହିଁ ସେ ସର୍ବଦା ଦଳର ମୁଖ୍ୟ ପଦବୀରେ ରହିବେ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ରାଜସ୍ଥାନ, ଛତିଶଗଡ଼ ପରେ ଅନ୍ୟ ରାଜ୍ୟରୁ ରାହୁଲ ଗାନ୍ଧୀଙ୍କୁ ସଭାପତି କରିବାକୁ ସଙ୍କଳ୍ପ ପାରିତ କରୁଥିବାରୁ ରାହୁଲ ଏବିଷୟରେ ପୁଣି ଥରେ ଚିନ୍ତା କରନ୍ତୁ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ବାଘେଲ । ତେବେ ଏ ବିଷୟରେ ରାହୁଲଙ୍କୁ ସିଧାସଳଖ ପଚରିବାକୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ନେତା ସନ୍ଦୀପ ଦିଖୀତ୍ ।

କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼, ରାଜସ୍ଥାନ ସହ ଗୁଜରାଟ ରାହୁଲଙ୍କୁ ଦଳର ମୁଖିଆ କରିବାକୁ ସଙ୍କଳ୍ପ ପାରିତ କରିଥିବା ବେଳେ ଏଥିରେ ଅନ୍ୟ ରାଜ୍ୟମାନେ ମଧ୍ୟ ସାମିଲ ହୋଇପାରନ୍ତି । କିନ୍ତୁ ୨୦୧୯ ନିର୍ବାଚନ ପରାଜୟ ପରେ ସଭାପତି ପଦ ଛାଡିଥିବା ରାହୁଲ ଏହାକୁ ଗହଣ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।