ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଏମଏଲ୍ ଫୋତେଦାର

37

କନକ ବ୍ୟୁରୋ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମଖନଲାଲ୍ ଫୋତେଦାର(୮୫)ଙ୍କର ଗୁରୁଗ୍ରାମ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ରାଜିବ ଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ।

କାଶ୍ମୀରରେ ଜନ୍ମିତ ଫୋତେଦାର ୧୯୫୦ ଦଶକରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ରାଜନୀତିରେ ପ୍ରବେଶ କରିଥିଲେ । ତାଙ୍କର କାର୍ଯ୍ୟନିଷ୍ଠା ଓ ନେତୃତ୍ୱ ପାଇଁ ସେ ଦଳରେ ସବୁଠୁ କ୍ଷମତାଶୀଳ ବ୍ୟକ୍ତିତ୍ୱ ପାଲଟିଥିଲେ । ଇନ୍ଦିରା ଗାନ୍ଧୀଙ୍କ ବିଶ୍ୱାସଭାଜନ ହୋଇ ସେ ୧୯୮୦ରେ ତାଙ୍କ ରାଜନୈତିକ ସଚିବ ହୋଇଥିଲେ ।

ଇନ୍ଦିରାଙ୍କ ମୃତ୍ୟୁ ପରେ ରାଜିବ ଗାନ୍ଧୀ ମଧ୍ୟ ୩ ବର୍ଷ ପାଇଁ ତାଙ୍କୁ ନିଜର ରାଜନୈତିକ ସଚିବ ରଖିଥିଲେ। ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କଂଗ୍ରେସ ଓ୍ଵାର୍କିଂ କମିଟି (ସିଡବ୍ଲ୍ୟୁସି)ର ସେ ଦୀର୍ଘ ଦିନଧରି ସଦସ୍ୟ ଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ ସିଡବ୍ଲ୍ୟୁସିର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ରହିଥିଲେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଫୋତେଦାର ପହଲଗାମ୍ ଆସନରୁ କଶ୍ମୀର ବିଧାନସଭାରେ ୧୯୬୭ରୁ ୧୯୭୭ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିଲେ । ସେ ରାଜ୍ୟସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ ।