ଗୃହରେ ଉଠିଲା ପ୍ରତାପଙ୍କ ପାପ ଧୋଇବା ପ୍ରସଙ୍ଗ । ବିରୋଧୀ କହିଲେ, ଆମେ କଣ ପାପୀ, ଅନ୍ୟପଟେ ଗତକାଲିର ହାଇଡ୍ରାମାକୁ ନେଇ କଂଗ୍ରେସ କହିଲା ବିଜେପି-ବିଜେଡି ଭାଇ ଭାଇ ।

154

କନକ ବ୍ୟୁରୋ : ଗୃହରେ ଉଠିଲା ପ୍ରତାପ ଜେନାଙ୍କ ପାପ ଧୋଇବା ପ୍ରସଙ୍ଗ । ପ୍ରତାପଙ୍କ ଏଭଳି ବୟାନକୁ ନିନ୍ଦା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କହିଲେ ଆମେ କଣ ପାପୀ । ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ ଆମକୁ ଏପରି ଅପମାନିତ କରିବେ ।  ମନ୍ତ୍ରୀଙ୍କ ବୟାନ ପରେ ଆମେ ନବୀନ ନିବାସ ଭିତରକୁ ଯିବାକୁ ଚାହୁଁ ନଥିଲୁ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଯାଇଥିଲୁ । ତା ପରେ ଆମକୁ ନବୀନ ବାବୁ ଠକିଛନ୍ତି ।

ଧାନ କିଣା ପ୍ରସଙ୍ଗରେ ନବୀନ ବାବୁ ଆମକୁ ଠକିଛନ୍ତି । ଖାଦ୍ୟ ଯୋଗାଣ ମନ୍ତ୍ରୀ ଧାନ କିଣା ନେଇ ବିବୃତି ଦେବା ପରେ ଏ କଥା ସ୍ପଷ୍ଟ ହୋଇଛି ।ଆମକୁ ଗତକାଲି ପ୍ରତାରଣା କରାଗଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ଆଉ ମନ୍ତ୍ରୀଙ୍କ ବିବୃତି ପରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଫଳରେ ପୁଣି ଗୃହକୁ ୧୦ ମିନିଟ ପାଇଁ ମୁଲତବି ସହ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ତେବେ ବିଜେପିର ଏଭଳି ହାଇଡ୍ରାମାକୁ  କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବହାଘର  ବରଯାତ୍ରୀ ଭଳି  ନବୀନ ନିବାସ ଆଡେ ଯାଇଥିଲେ। ଫୁଲ ଚନ୍ଦନ ଲଗାଇ , ହୁଳହୁଳି ଓ ଶଙ୍ଖନାଦ କରି ଭଉଣୀ ମାନେ ମଧ୍ୟ ସ୍ୱାଗତ କରିଥିଲେ। ମନ୍ତ୍ରୀମାନେ ମଧ୍ୟ ନବୀନ ନିବାସ ଅପେକ୍ଷା କରିଥିଲେ। ବିଜେଡି  ବିଧାୟକ ମାନେ ବଡ଼ିଗାର୍ଡ ଭଳି ତାଙ୍କ ପଛେପଛେ ଯାଇଥିଲେ।  ବିଜେଡି-ବିଜେପି ଭାଇ ଭାଇ ଆଗରୁ କହିଥଲୁ। କାଲି ପ୍ରମାଣିତ ହୋଇଗଲା ବୋଲି କହିଛନ୍ତି ନରସିଂହ ।