ବିଧାନସଭାରେ ପେଟ୍ରୋଲ ତାତି । ଆଗରୁ ତେଲ ଦର ବଢୁଥିଲେ ବିଜେପି-ବିଜେଡି ଆନ୍ଦୋଳନ କରୁଥିଲେ, ଏବେ କୁଆଡେ ଗଲେ ବୋଲି ପ୍ରଶ୍ନ କଲା କଂଗ୍ରେସ?

83

କନକ ବ୍ୟୁରୋ : ଗୃହରେ ତୈଳ ଦର ବୃଦ୍ଧି ତାତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ତୈଳ ଦର କଂଗ୍ରେସ ସମୟରେ କମ ଥିଲା। ମୋଦି ସରକାରଙ୍କ ସମୟରେ ବଢ଼ିଲା। ମହାମାରୀ ସମୟରେ ମୋଦି ସରକାର ପେଟ୍ରୋଲରେ ୧୦ ଟଙ୍କା ଡିଜେଲରେ ୧୩ ଟଙ୍କା ବଢ଼ାଇଛନ୍ତି। ରନ୍ଧନ ଗ୍ୟାସ ଦର ୮୦୦ ଟଙ୍କାରେ ପହଂଚିଲାଣି। ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଉପରେ ୪ ଟଙ୍କା ବଢ଼ାଇଲେଣି। ଆଗକୁ ବିଜେପି-ବିଜେଡି ଗ୍ୟାସ ଟାଙ୍କି ଧରି ଆନ୍ଦୋଳନ କରୁଥିଲେ ଏବେ କୁଆଡେ ଗଲେ। ତେଣୁ କେନ୍ଦ୍ର ସରକାର ବଢାଇଥିବା କେନ୍ଦ୍ର ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାର ବଢାଇଥିବା ଭାଟ ପ୍ରତ୍ୟାହାର କରିବା ପାଇଁ ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେପି-ବିଜେଡିକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ତେଲ ଦର ପ୍ରତିଦିନ ବୃଦ୍ଧି ହେଉଛି, କିନ୍ତୁ ବିଜେଡି ବିଧାୟକ ମାନେ ତୁଣ୍ଡି ବାନ୍ଧି ବସିଛନ୍ତି ବୋଲି ଆକ୍ଷେପ କରିଛନ୍ତି ସାଲୁଜା । ଅନ୍ୟପଟେ ବିଧାନସଭାରେ ତୈଳଦର ବୃଦ୍ଧିକୁ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ତୈଳଦର ବୃଦ୍ଧିକୁ ନେଇ ସମସ୍ତଙ୍କ ବକ୍ତବ୍ୟ ରାଜନୀତିକରଣ ଭଳି ଲାଗୁଛି। ଗରିବ କଲ୍ୟାଣ ଯୋଜନାକୁ ଅଗ୍ରାଧିକାର ଦେବା ପାଇଁ ଏହା କରାଯାଉଛି। ଓଡିଶା ସମେତ ସାରା ଭାରତ ବର୍ଷ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହା ଏଥିରୁ ଯାଉଛି। ତେବେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମେଇବା ପାଇଁ ଦାବି କରିଛନ୍ତି ବିଷ୍ଣୁ ସେଠୀ ।

Comments are closed.