କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଏହାରି ଭିତରେ ରୋଚକ ସ୍ଥିତିରେ ପହଞ୍ଚିଛି ଅଧ୍ୟକ୍ଷ ନିର୍ବାଚନ । ଛିଡି ପାରୁନି ଅଙ୍କ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ନାରାଜ । ଗେହଲଟ୍ ମଧ୍ୟ ଏନେଇ ଦଳୀୟ ନେତୃବୃନ୍ଦଙ୍କୁ ତାଙ୍କ ମତ ଜଣାଇ ଆସିଛନ୍ତି । ଦଳର ମୁଖ୍ୟ ରହିଲେ ବି ମୁଖ୍ୟମନ୍ତ୍ରୀ ପଦ ଛାଡିବେ ନାହିଁ ବୋଲି ଜଣାଇଛନ୍ତି । ଗେହଲଟ୍ କହିଛନ୍ତି ଜଣେ ବ୍ୟକ୍ତି ମନ୍ତ୍ରୀ ରହିପାରିବେ ଏବଂ କଂଗ୍ରେସ ସଭାପତି ବି ନିର୍ବାଚିତ ହୋଇପାରିବେ ।

Advertisment

ଏହା ସହ ସେ କହିଛନ୍ତି, କେବଳ ଗୋଟିଏ ନୁହେଁ, ତିନିଟି ପଦର ଦାୟିତ୍ୱକୁ ସେ ସୂଚାରୁ ରୂପେ ତୁଲାଇ ପାରିବେ । ଗେହଲଟଙ୍କ ଏପରି ବୟାନ ସଚିନ୍ ପାଇଲଟ୍ କ୍ୟାମ୍ପରେ ଅସନ୍ତୋଷ ସୃଷ୍ଟି କରିଛି । ସେପଟେ ରାହୁଲ ଗାନ୍ଧୀଙ୍କୁ ମନାଇବାକୁ ଶେଷ ଚେଷ୍ଟା ଚାଲିଛି । କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ତାଲିକାରେ ଏବେ ଆଉ ଜଣେ ନେତାଙ୍କ ନାଁ ଯୋଡି ହୋଇ ଯାଇଛି । କଂଗ୍ରେସ ନେତା ଦିଗବିଜୟ ସିଂ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି ।

ଦିଗବିଜୟ କହିଛନ୍ତି, ସମସ୍ତଙ୍କର ନିର୍ବାଚନ ଲଢିବାର ଅଧିକାର ରହିଛି । କାହାକୁ ଏଥିପାଇଁ ରୋକାଯାଇ ପାରିବ ନାହିଁ । କାହାକୁ ନିର୍ବାଚନ ଲଢିବା ପାଇଁ ମଧ୍ୟ ବାଧ୍ୟ କାରାଯାଇପାରିବ ନାହିଁ । ଅତୀତରେ ମଧ୍ୟ ଗାନ୍ଧୀ ପରିବାର ବାହାରୁ ସଭାପତି ହୋଇଛନ୍ତି । ସେପ୍ଟେମ୍ବର ୩୦ ସୁଦ୍ଧା ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଦିଗବିଜୟ ସିଂହ କହିଛନ୍ତି ।