ଆକ୍ସନ ମୁଡରେ କଂଗ୍ରେସ ! ଏନଏଚଏଆଇ କାର୍ଯ୍ୟାଳୟରେ ଧଶେଇ ପଶିଲେ, ପାଇପରେ ପାଣି ଛାଡିଲେ ।

30

କନକ ବ୍ୟୁରୋ : ଅସରାଏ ବର୍ଷାରେ ରାଜଧାନୀ ଉବୁଟୁବୁ ହେଉଥିବା ବେଳେ ଏନଏଚଏଆଇ ଅଫିସରେ କଂଗ୍ରେସର ହାଇ ଭୋଲଟେଜ୍ ଡ୍ରାମା । ପାଣି ଟାଙ୍କର ଆଣି ଅଫିସ ଭିତରେ ପାଣି ବର୍ଷା କରିଥିଲେ କଂଗ୍ରେସ କର୍ମୀ । ବର୍ଷା ପାଣି ନିଷ୍କାସନ ଦାୟିତ୍ୱ ବିଏମସିର କହି ଏନଏଚଏଆଇ ଅଧିକାରୀ ବୁଝାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ମଧ୍ୟ ପାଣିରେ ଗାଧୋଇ ଦେଇଥିଲେ ଉତ୍ୟକ୍ତ କର୍ମୀ । ଦୁଇ ଦିନ ତଳେ ସ୍ମାର୍ଟ ସିଟିର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ବର୍ଷା ପାଣିରେ ରାଜରାସ୍ତା ଉପରେ ଗାଡି ମଟର ଭାସିଥିଲା । ଏହାର ପ୍ରତିବାଦ କରିଛି କଂଗ୍ରେସ । ସେପଟେ କଂଗ୍ରେସର ପ୍ରତିବାଦକୁ ସମାଲୋଚନା କରିଛି ବିଜେପି ।

ଅନେକ ଦିନ ଧରି ଶୋଇ ପଡ଼ିଥିବା କଂଗ୍ରେସ, ଏବେ ଆକ୍ରାମକ ରୂପ ଧାରଣ କରିଛି । ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କ ଅଫିସରେ ଆଜି ଦେଖିବାକୁ ମିଳିଥିଲା କଂଗ୍ରେସର ହାଇଭୋଲଟେଜ୍ ଡ୍ରାମା । ଅଫିସ ଖୋଲୁ ଖୋଲୁ ପାଣି ଟାଙ୍କରରେ ଭସାଇ ଦେଇଥିଲେ କଂଗ୍ରେସ ନେତା ଓ କର୍ମୀ । ଏତିକି ବେଳେ ଅଫିସରେ ପହଁଚିଗଲେ ଅଧିକାରୀ । କଂଗ୍ରେସର ପାଣି ବର୍ଷା ଦେଖି ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରୁଥିଲେ । ହେଲେ ତାଙ୍କୁ ମଧ୍ୟ ପାଣିରେ ଗାଧୋଇଦେଲେ ଉତ୍ୟକ୍ତ କର୍ମୀ ।

ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ ଅଫିସରେ ଆଜି ଭୁବନେଶ୍ୱର ଜିଲ୍ଲା ସଭାପତି ମାନସ ଚୌଧୁରୀ ଏବଂ ବରିଷ୍ଠ ନେତା ସୁର ରାଉତରାୟଙ୍କ ସହ ପହଁଚି ଯାଇଥିଲେ କଂଗ୍ରେସ କର୍ମୀ । ସାଙ୍ଗରେ ନେଇଥିଲେ ପାଣି ଟାଙ୍କର । ଆଉ ଆରମ୍ଭ କରି ଦେଇଥିଲେ ଉତ୍ପାତ । ଦୁଇ ଦିନ ତଳେ ଭୁବନେଶ୍ୱରରେ ଅସରାଏ ବର୍ଷା ନୟାପଲୀ ଅଂଚଳର ଚିତ୍ର ବଦଳାଇ ଦେଇଥିଲା । ଇସ୍କନ ମନ୍ଦର ସାମନାରେ ବନ୍ୟାର ଭ୍ରମ ସୃଷ୍ଟି କରିଥିଲା ।

ସ୍ମାର୍ଟ ସିଟିର ଏହି ବିକଳ ଚିତ୍ର ଦେଖିବା ପରେ ରାଜଧାନୀରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଅସରାଏ ବର୍ଷା ପରେ ରାଜପଥ ଉପରେ ଭାସୁଥିଲା ଗାଡି ମଟର । ଭୁବନେଶ୍ୱର ମେୟର ନିଜ ମୁଣ୍ଡରୁ ଦୋଷ ଖସାଇ ଜାତୀୟ ରାଜପଥ ପ୍ରାଧିକରଣ ଉପରେ ଦୋଷ ଲଦିଥିଲେ । ଆଉ କଂଗ୍ରେସ ରାଗ ସୁଝାଇଥିଲା ଏନଏଚଏଆଇ ଉପରେ । ତେବେ ଜଣେ ଅଫିସରଙ୍କୁ କାହିଁକି ପାଣିରେ ଗାଧୋଇଦେଲେ ଏହି ପ୍ରଶ୍ନର ଉତ୍ତର, ବେଶ ହାଲୁକା ଢଙ୍ଗରେ ଦେଇଥିଲେ କଂଗ୍ରେସ ନେତା ସୁର ରାଉତରାୟ । ସେପଟେ କଂଗ୍ରେସ କହିଛି ଭୁବନେଶ୍ୱରର ଦୟନୀୟ ଅବସ୍ଥା ପାଇଁ ଏନଏଚଏଆଇ ଯେତିକି ଦାୟୀ, ସେତିକି ଦାୟୀ ବିଏମସି । ପରିସ୍ଥିତିରେ ସୁଧାର ନଆସିଲେ ବିଏମସି କାର୍ଯ୍ୟାଳୟରେ ବି ହେବ ଠିକ୍ ଏହିଭଳି ପ୍ରତିବାଦ । ବିଏମସି ଏନଏଚଏଆଇ ଉପରେ ଓ ଏନଏଚଏଆଇ ବିଏମସି ଉପରେ ଦୋଷ ଲଦୁଛନ୍ତି । ହେଲେ ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗୁଛନ୍ତି ରାଜଧାନୀବାସୀ ।