କୁନ୍ଦୁଲି ପ୍ରସଙ୍ଗରେ କଂଗ୍ରେସର ବିକ୍ଷୋଭ ! ରାଜ୍ୟ ଫରେନସିକ୍ ଲ୍ୟାବକୁ ଘେରାଉ ବେଳେ କଂଗ୍ରେସର ଅନୁସୂଚିତ ଜନଜାତି ସେଲ ଓ ପୁଲିସ ଧସ୍ତାଧସ୍ତି

26

କନକ ବ୍ୟୁରୋ : କୁନ୍ଦୁଲି ପ୍ରସଙ୍ଗରେ କଂଗ୍ରେସର ବିକ୍ଷୋଭ । ରାଜ୍ୟ ଫରେନସିକ୍ ଲ୍ୟାବକୁ କଂଗ୍ରେସର ଅନୁସୂଚିତ ଜନଜାତି ସେଲ୍ ଘେରିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନେତୃତ୍ୱରେ ବିକ୍ଷୋଭ କରିଥିଲା କଂଗ୍ରେସର ଅନୁସୂଚିତ ଜନଜାତି ସେଲ୍ । ଫରେନସିକ୍ ଲ୍ୟାବକୁ ଘେରିବାକୁ ଉଦ୍ୟମ ବେଳେ ପୁଲିସ ଅଟକାଇବାକୁ ଚେଷ୍ଟା କରିବା ପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

କୁନ୍ଦୁଲି ପୀଡିତାଙ୍କ ଫରେନସିକ୍ ରିପୋର୍ଟରେ ଜାଲିଆତି ହୋଇଥିବା ଅଭିଯୋଗ କରିବା ସହ ଏହାର ସିବିଆଇ ତଦନ୍ତ ଦାବିରେ ବିକ୍ଷୋଭ କରାଯାଉଛି । ଭୁବନେଶ୍ୱର ରସୁଲଗଡ ସ୍ଥିତ ରାଜ୍ୟ ଫରେନସିକ୍ ଲ୍ୟାବ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ସହ କଂଗ୍ରେସର ଅନେକ ତୁଙ୍ଗ ନେତା ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ଏହା ସହ ୨ ଶହରୁ ଅଧିକ କଂଗ୍ରେସ କର୍ମୀ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।