୨୦୧୯ ପାଇଁ ସଜବାଜ ହେଉଛି କଂଗ୍ରେସ । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଖୋଜିବାକୁ ରାହୁଲଙ୍କ ଗୁରୁମନ୍ତ୍ର, ଜୁଲାଇ ୧୫ ସୁଦ୍ଧା ରିପୋର୍ଟ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

33

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ, ରାଜ୍ୟ ପିସିସିଙ୍କୁ ତଥ୍ୟ ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଜୁଲାଇ ୧୫ ତାରିଖ ସୁଦ୍ଧା ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରି ଏଆଇସିସିକୁ ଦେବାକୁ କୁହାଯାଇଛି । ବିଶେଷ କରି ଦଳ ପାଇଁ କେଉଁ ନେତା ଗୁରୁତ୍ୱପୂଣ୍ଣ, କିଏ ଦଳକୁ ଜିତାଇପାରିବେ ଏବଂ ନିର୍ବାଚନ ପାଇଁ ବୁଥ୍ ସ୍ତରରେ କଂଗ୍ରେସ କେତେ ପ୍ରସ୍ତୁତ , ସେନେଇ ରିପୋର୍ଟ ମଗାଯାଇଛି । ଜୁଲାଇ ତୃତୀୟ ସପ୍ତାହରେ ପିସିସି ସଭାପତିଙ୍କ ସହ ରାହୁଲ ବୈଠକ କରିବେ ଏବଂ ଅଗଷ୍ଟରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଏବେଠୁ ଅଂଟା ଭିଡିସାରିଛି କଂଗ୍ରେସ । ସବୁ ରାଜ୍ୟର ପିସିସି ସଭାପତିଙ୍କୁ ତଥ୍ୟ ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କଂଗ୍ରେସ ମହାସଚିବ ଅଶୋକ ଗେହଲଟ ଚିଠି ଲେଖି ପିସିସି ସଭାପତିଙ୍କୁ ଜଣାଇ ଦେଇଛନ୍ତି ଯେ, ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧି ପଠାଇ ସେଠାକାର ପୁରା ତାଲିକା ଶୀଘ୍ର ପ୍ରସ୍ତୁତ କର । ବିଶେଷ କରି ୯ଟି ପ୍ରସଙ୍ଗକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ।

– ଦଳ ପାଇଁ କେଉଁ ନେତା ଗୁରୁତ୍ୱପୂର୍ଣ୍ଣ ଏବଂ କିଏ ଦଳକୁ ଜିତାଇପାରିବେ
– ନିର୍ବାଚନ ମଣ୍ଡଳୀର ମୁଖ୍ୟ ପ୍ରସଙ୍ଗ , ଯାହାକୁ ନିର୍ବାଚନରେ ଅସ୍ତ୍ର କରିହେବ
– କଂଗ୍ରେସର ଭୋଟବ୍ୟାଙ୍କ ବୃଦ୍ଧି ନେଇ ରଣନୀତି
– ସଂପୃକ୍ତ ଲୋକସଭା ଆସନ ଜିତିବାକୁ ଟାର୍ଗେଟ୍ ଭୋଟ୍
– କଂଗ୍ରେସ ଦଳର ସାଂଗଠନିକ ସ୍ଥିତି ଓ ଦୁର୍ବଳତା
– ଗତ ଲୋକସଭା ନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ
– ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ନିର୍ବାଚନୀ ଇତିହାସ
– ନିର୍ବାଚନ ମଣ୍ଡଳୀର ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ
– ଏବଂ ନିର୍ବାଚନ ମଣ୍ଡଳୀରେ ଥିବା ବୁଥ କମିଟି ଗୁଡିକର ବର୍ତମାନର ସ୍ଥିତି

୧୫ ଜୁଲାଇ ସୁଦ୍ଧା ତଥ୍ୟ ସମ୍ବଳିତ ରିପୋର୍ଟ ଦେବାକୁ ନିର୍ଦେଶ ରହିଛି । କାରଣ ଜୁଲାଇ ତୃତୀୟ ସପ୍ତାହରେ ପିସିସି ସଭାପତିଙ୍କ ସହ ରାହୁଲଙ୍କ ବୈଠକ ହେବ । ଅଗଷ୍ଟରେ ଓଡିଶା ଆସିବେ ରାହୁଲ ଗାନ୍ଧି । ଦଳୀୟ ପ୍ରାର୍ଥୀ ତାଲିକାକୁ ନେଇ ଆମୂଳଚୂଳ ପୋଷ୍ଟମର୍ଟମ କରାଯିବ । ଏହାପରେ ଅଗଷ୍ଟ ଶେଷ ସୁଦ୍ଧା ୫୦ ପ୍ରତିଶତ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ କଂଗ୍ରସ ।

ଦୁଇ ମାସ ତଳେ ରାଜ୍ୟ କଂଗ୍ରେସର ମୁଖିଆ ପରିବର୍ତନ ହେଲା । ୩ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ଦାୟିତ୍ୱ ଦିଆଗଲା । ପରେ ପରେ ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ନିଷ୍ପତି ହେଲା ଏବଂ ବିଧାୟକ ଥିବା ଜିଲ୍ଲା ସଭାପତି ବଦଳିଲେ । ଆଗକୁ ନୂଆ ପିସିସି କମିଟି ସଦସ୍ୟ ତାଲିକା ପ୍ରକାଶ ପାଇବ । ଏସବୁରୁ ସ୍ପଷ୍ଟ ଯେ, ୨୦୧୯ ନିର୍ବାଚନ ପାଇଁ ଅଂଟା ଭିଡିସାରିଛି କଂଗ୍ରେସ ।