ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡିଲେ ଶ୍ରୀକାନ୍ତ ଜେନା । ବିଶୃଙ୍ଖଳା ପାଇଁ ଦଳରୁ ବିଦା ହେବା ନେଇ ବଢିଲା ଚର୍ଚ୍ଚା ? 

185

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି କଂଗ୍ରେସ ଗୋଷ୍ଠୀ କନ୍ଦଳ ସେତିକି ବଢୁଛି । ଗୋଟିଏ ପଟେ ପିସିସି ସଭାପତି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପଂଚାୟତ ପ୍ରତିନିଧି ସମ୍ମିଳନୀ କରୁଥିବା ବେଳେ ଅନ୍ୟପଟେ କୃଷ୍ଣ ସଗରିଆଙ୍କ ନେତୃତ୍ୱରେ ଏବଂ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ସମର୍ଥନରେ ଚାଲିଥିଲା ସର୍ବଦଳୀୟ ଦଳିତ ସମାବେଶ । ଏହାରି ଭିତରେ ଏଆଇସିସି ଘୋଷଣା କରିଛି ଇସ୍ତାହାର କମିଟି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇସ୍ତାହାର କମିଟିର ଅଧ୍ୟକ୍ଷ ପଦବୀରୁ ଶ୍ରୀକାନ୍ତଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଅଧ୍ୟକ୍ଷ କରାଯାଇଛି ।

୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ପଦାରେ ପଡିଛି କଂଗ୍ରେସର ଗୋଷ୍ଠୀ କନ୍ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନରେ ଡାକିଥିଲେ ପଂଚାୟତ ପ୍ରତିନିଧି ସମ୍ମିଳନୀ । ଶ୍ରୀକାନ୍ତ ଜେନାଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ତୃଣମୂଳସ୍ତରରେ ସଂଗଠନ କେମିତି ଚାଲିଛି ତାର ତର୍ଜମା କରିବା ସହ ନିର୍ବାଚନୀ ଗୁରୁମନ୍ତ୍ର ଦେଇଥିଲେ ନିରଞ୍ଜନ । ପଂଚାୟତ ପ୍ରତିନିଧି ସମ୍ମିଳନୀରେ ଅନୁପସ୍ଥିତ ଥିବା ଶ୍ରୀକାନ୍ତ ସମାନ୍ତରାଳ ଭାବେ ଭୁବନେଶ୍ୱର ସଂଗ୍ରାମୀ ପଡିଆରେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ସହ ମିଶି ଆୟୋଜନ କରିଥିଲେ ସାମାଜିକ ନ୍ୟାୟ ଅଭିଯାନ ସମାବେଶ । ଯେଉଁଥିରେ ଦଳିତମାନଙ୍କୁ ରାଜନୀତିରେ ଅଧିକାର ସାବ୍ୟସ୍ତ ସମ୍ପର୍କରେ ଆଲୋଚନା କରିଥିଲେ । ସମାବେଶରେ ସଗରିଆ ସିଧାସଳଖ ନିରଞ୍ଜନଙ୍କୁ ଆକ୍ଷେପ କରି କହିଥିଲେ କିଛି ନେତା ଓଡିଶାରୁ ଖଣିଖାଦାନ ଲୁଟ କରିଛନ୍ତି । ଯାହାର ଜବାବ ରଖିଛନ୍ତି ନିରଞ୍ଜନ ।

ଏସବୁ ଚାଲିଥିବା ବେଳେ ଏଆଇସିସି ପକ୍ଷରୁ ଘୋଷଣା ହୋଇଥିଲା ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ଦିଆଯାଇଥିଲା ଶ୍ରୀକାନ୍ତ ଜେନାଙ୍କୁ । ଶ୍ରୀକାନ୍ତଙ୍କ ସ୍ଥାନରେ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ଏଆଇସିସି । ତେବେ ବାଦ ପଡିବା ପ୍ରସଙ୍ଗରେ ଶ୍ରୀକାନ୍ତ କହିଛନ୍ତି ମୋର ପଦ ପଦବୀ ପ୍ରତି ଆଶା ନଥିଲା ।

ଶ୍ରୀକାନ୍ତଙ୍କୁ କମିଟିରୁ ବାହାର କରିବା ପରେ ଯାହା ଜଣାପଡୁଛି ସେ ଧୀରେ ଧୀରେ ଦଳ ପାଇଁ ଅଲୋଡା ହୋଇପଡିଛନ୍ତି । ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ଶ୍ରୀକାନ୍ତ ଇସ୍ତାହାର କମିଟିର ଅଧ୍ୟକ୍ଷ ଥିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ନେଇ ଦଳ ଭିତରେ ବିବାଦ ଉପୁଜୁଥିଲା । ଏହି ସମୟରେ ବି ସଗରିଆ ଶ୍ରୀକାନ୍ତଙ୍କ ଛତ୍ର୍ରଛାୟା ତଳେ ରହି ଦଳ ବିରୋଧି ମନ୍ତବ୍ୟ ଦେଇଥିଲେ । ଏପରିକି ବିରୋଧିଦଳ ନେତା କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେଣୁ ଏହି ବିଶୃଙ୍ଖଳିତ ଆଚରଣ ପାଇଁ ଦଳ ପକ୍ଷରୁ ସଗରିଆ ଏବଂ ଶ୍ରୀକାନ୍ତଙ୍କ ଉପରେ ମଧ୍ୟ ଖୁବଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚର୍ଚ୍ଚା ହେଉଛି ।