ବିଧାନସଭାରେ ବିରୋଧୀଙ୍କ ଅଭିନବ ପ୍ରତିବାଦ  । ବ୍ରାହ୍ମଣ ବେଶରେ ତାରା ଆସିଲେ, ପୂରା ଗୃହରେ ଗଙ୍ଗାଞ୍ଚଳ ଛିଞ୍ଚିଲେ ।

171

କନକ ବ୍ୟୁରୋ : ବିଧାନସଭାର ଚତୁର୍ଥ ଦିନରେ ବିରୋଧୀଙ୍କ ଅଭିନବ ପ୍ରତିବାଦ । ଗୃହରେ ବାଜିଲା ଘଣ୍ଟ, କଂଗ୍ରେସ ଛିଞ୍ଚିଲା ଗଙ୍ଗାଜଳ । ପ୍ରବଳ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ମୁଲତବୀ କରିଛନ୍ତି । ଯାହାଫଳରେ ଦୀର୍ଘ ୪ ଦିନ ହେବ ଗୃହରେ କୌଣସି ଆଲୋଚନା ହୋଇପାରୁନାହିଁ । ପ୍ରତିଦିନ ବିରୋଧୀଙ୍କ ଏଭଳି ହୋହାଲ୍ଲା ଭିତରେ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡୁଛି ।

ତେବେ ଆଜି ଗୃହରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ଭିନ୍ନ ଅନ୍ଦାଜରେ ଗୃହରେ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପୂଜକ ବେଶରେ ଗୃହରେ ଦେଖିବାକୁ ମିଳିଥିଲା । ହାତରେ ଥିଲା ଗଙ୍ଗାଜଳ, ଗୋମୂତ୍ର ମିଶ୍ରିତ ଜଳ । ଆଉ ପଛରେ ଘଣ୍ଟ ବଜାଉଥିଲେ କଂଗ୍ରେସର ଅନ୍ୟ ବିଧାୟକ । ପୂରା ଗୃହ ପରିସରରେ ବୁଲି ବୁଲି ଏହି ଗଙ୍ଗାଜଳ ଛିଞ୍ଚିଥିଲେ ତାରା । ଏପରିକି ବାଚସ୍ପତିଙ୍କ ପୋଡିୟମକୁ ମଧ୍ୟ ଛାଡିନଥିଲେ । ଖାସକରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଆସନରେ ଏହି ଗଙ୍ଗାଞ୍ଚଳ ଛିଞ୍ଚି ଶୋଧନ କରିଥିବା କହିଥିଲେ ତାରା । କାରଣ ମମିତା ମୃତ୍ୟୁ ଘଟଣାରେ ମନ୍ତ୍ରୀ ଇସ୍ତଫା ଦେଉନଥିବା ବେଳେ   ପବିତ୍ର ଗୃହକୁ ଆସି ଅପବିତ୍ର କରୁଥିବାରୁ ଏହାକୁ ଶୋଧନ କରାଯାଇଥିବା କହିଛନ୍ତି ତାରା ବାହିନୀପତି ।

ସେହିଭଳି ବିରୋଧୀ ବିଜେପି ମଧ୍ୟ ପ୍ଲାକାର୍ଡ ଦେଖାଇ ଗୃହ ମଧ୍ୟରେ ହୋ ହାଲ୍ଲା କରିଥିଲେ । ଏଭଳି ନ କରିବାକୁ ବାଚସ୍ପତି ବାରମ୍ବାର କହିଥିଲେ ମଧ୍ୟ ଶୁଣିନଥିଲେ ବିରୋଧୀ । ଯେଉଁଥିପାଇଁ ଶେଷରେ ଗୃହକୁ ଅପରାହ୍ନ ୪ଟା ମୁଲତବୀ କରିଥିଲେ ବାଚସ୍ପତି । ବିଧାନସଭା ଆରମ୍ଭରୁ ହିଁ ଗୃହର ଏଭଳି ଅଚଳାବସ୍ଥା ଲାଗି ରହିଛି । ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ମଧ୍ୟ ଗୃହରେ ପ୍ରତିବାଦ ଜାରି ରଖିଛନ୍ତି ବିରୋଧୀ ।