ଓଡିଶା ବନ୍ଦରେ କଂଗ୍ରେସ କର୍ମୀଙ୍କ ଅରାଜକତା । ଅଟୋ ଚାଳକଙ୍କୁ କଲେ ମାରପିଟ୍, ଟ୍ରାଫିକ୍ ପୋଷ୍ଟରେ ଉପରେ ଚଢି କଲେ ପ୍ରତିବାଦ ।

74

କନକ ବ୍ୟୁରୋ: କଂଗ୍ରେସର ଏହି ବନ୍ଦ କାହା ପାଇଁ? ଏହା କ’ଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ? ଆନ୍ଦୋଳନ ନାଁରେ ଅତ୍ୟାଚାର ପାଇଁ କିଏ ଦେଲା ଅନୁମତି? ପେଟ୍ରୋଲ ଦରକୁ ବିରୋଧ କରି ବାଇକ ରାଲି? ଆଜି ବନ୍ଦ ପାଳନ ବେଳେ ଦେଖିଥିବା ଦୃଶ୍ୟରୁ ଉଠିଥିଲା ଏଭଳି କିଛି ପ୍ରଶ୍ନ । କଂଗ୍ରେସର ପ୍ରତିବାଦ ସମୟରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଅଟୋ ଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଥିଲେ । ବନ୍ଦ ଘୋଷଣା ସତ୍ୱେ କାହିଁକି ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଉଛି ବୋଲି ପ୍ରଶ୍ନ କରିଥିଲେ ପ୍ରତିବାଦକାରୀ ।

ପ୍ରତିବାଦକାରୀଙ୍କ ଏହା ଦାଦାଗିରି ନୁହେଁ କି?
ନେତାଙ୍କ ନିର୍ଦ୍ଦେଶରେ ଚାଲିଛି ଏହି ଅରାଜକତା?

ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ ଅଂଚଳରେ ସକାଳୁ ସକାଳୁ ଗ୍ରାହକଙ୍କ ଅପେକ୍ଷାରେ ଖୋଲିଥିବା ଏକ ଜଳଖିଆ ହୋଟେଲ ଉପରେ ପଡ଼ିଥିଲା କଂଗ୍ରେସ କର୍ମୀଙ୍କ ନଜର । ପିକେଟିଂ କରୁଥିବା ଆନ୍ଦୋଳନକାରୀମାନେ ଝୁମ୍ପୁଡ଼ି ହୋଟେଲରେ ପଶି, ହୋଟେଲ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ଏପଟେ ରାସ୍ତାକଡ଼ରେ ଛୋଟିଆ ଠେଲାଟିଏ କରି ପାଉରୁଟି ଓ ପାନ ପୁଡ଼ିଆ ବିକ୍ରି କରୁଥିବା ଜଣେ ବୃଦ୍ଧା ମହିଳାଙ୍କୁ ଠେଲା ବନ୍ଦ କରିବାକୁ କହିଥିଲେ କଂଗ୍ରେସ କର୍ମୀ । ବୃଦ୍ଧା ଜଣକ ଯେତେ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣିବା ମୁଡରେ ନଥିଲେ । ଶେଷରେ ବୃଦ୍ଧା ଜଣକ ବାଧ୍ୟ ହୋଇ ଠେଲା ଦୋକାନକୁ ବନ୍ଦ କରିଥିଲେ ।

ଏହାସହ ଛାତ୍ର ଓ ଯୁବକ କଂଗ୍ରେସ କର୍ମୀ ମାନେ ଏଜି ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢି ପ୍ରତିବାଦ କରିଥିଲେ । ଟ୍ରାଫିକ ପୋଷ୍ଟ ଉପରୁ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ପେଟ୍ରୋଲ ଦର ବୃଦ୍ଧି ନେଇ ଓଡ଼ିଶା କଂଗ୍ରେସ ଓଡିଶା ବନ୍ଦ କରିଥିବା ବେଳେ ବାଇକରେ ରାଲି କରିବା ଚର୍ଚ୍ଚା ସୃଷ୍ଟି କରିଛି । ତେଲ ଦର ପାଇଁ ପ୍ରତିବାଦ ହେଉଥିବା ବେଳେ ସଂଖ୍ୟାଧିକ ବାଇକ୍ରେ ତେଲ ପୋଡ଼ି ଛାତ୍ର କଂଗ୍ରେସର ସଦସ୍ୟମାନେ ରାଲି କରିଛନ୍ତି ।

୬ ଘଂଟାର ଏହି ବନ୍ଦ ଫଳରେ ରାଜରାସ୍ତାରେ ଅଟକି ରହିଥିଲା ଶହଶହ ଗାଡି ମୋଟର । ପ୍ରତିବାଦ ସମୟରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଟାୟର ଜାଳିଥିଲେ । ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଦୀର୍ଘ ସମୟ ଧରି ବସଷ୍ଟାଣ୍ଡରେ ଅଟକି ରହିଥିଲେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ବିମାନରେ ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର ପହଂଚିଥିବା ଯାତ୍ରୀ ବିମାନବନ୍ଦରରେ ଅଟକି ରହିଥିବା ବେଳେ ବିମାନବନ୍ଦରକୁ ଯିବାକୁ ଚାହୁଁଥିବା ଯାତ୍ରୀମାନେ ପ୍ରଭାବିତ ହୋଇଥିଲା ।