୨୦୨୪ ଫୋକସରେ ମମତା, ମେଘାଳୟରେ ୧୨ କଂଗ୍ରେସ ବିଧାୟକ ଟିଏମସିରେ ସାମିଲ

133

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜନୀତି ବଢୁଛି ମମତାଙ୍କ ଦବଦବା । କେବଳ ପଶ୍ଚିମବଙ୍ଗରେ ସିମିତ ଥିବା ଟିଏମସି ଏବେ ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ଯେଭଳି ଭାବେ ମମତାଙ୍କୁ ପରାଜିତ କରିବାକୁ ଜାଲ ବିଛାଇଥିଲା ସେ ଜାଲକୁ କାଟି ମମତା କ୍ଷମତା ହାସଲ କରିବା ପରେ ଦଳ ଓ ଦଳର ନେତାଙ୍କ ଭିତରେ ଏକ ଉନ୍ମାଦନା ଦେଖାଦେଇଛି । ମୋଦୀଙ୍କ ପରେ ଦିଦିଙ୍କୁ ରାଷ୍ଟ୍ରୀୟ ରାଜନୀତିରେ ପ୍ରମୁଖ ଚେହେରା କରିବାକୁ ପୁରା ଦମ ଲଗାଇ ଦେଇଛି ଦଳ । ଏହି କ୍ରମରେ ତ୍ରିପୁରା ଓ ପରେ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ନେତାମାନଙ୍କୁ ମମତା ନିଜ ଦଳରେ ସାମିଲ କରିବାରେ ଲାଗିଛନ୍ତି । ବିହାରର ବରିଷ୍ଠ କଂଗ୍ରେସ ନେତା କିର୍ତ୍ତୀ ଆଜାଦଙ୍କୁ ଦଳରେ ସାମିଲ କରି ବିହାର ରାଜନୀତିରେ ମମତାଙ୍କ ଏଣ୍ଟ୍ରି ପରେ ଏବେ ମେଘାଳୟରେ ବି ଦଳ ଏକା ଥରକେ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ଦଳରେ ସାମିଲ କରିଛି ।

ମୋଟ ୬୦ ଆସନ ବିଶିଷ୍ଠ ମେଘାଳୟ ବିଧାନ ସଭାରେ କଂଗ୍ରେସର ୧୮ ଜଣ ବିଧାୟକ ଥିଲେ । ସେମାନଙ୍କ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମାଙ୍କ ସମେତ ୧୨ ଜଣ ବିଧାୟକ ଟିଏମସିରେ ସାମିଲ ହୋଇଛନ୍ତି । କହିରଖୁ କି ୨୦୧୮ ବିଧାନସଭା ନିର୍ବାଚନରେ ଟିଏମସି ମେଘାଳୟରେ ଗୋଟିଏ ବି ଆସନ ଜିତି ନଥିବା ବେଳେ ଏବେ ବିରୋଧୀଦଳର ଭୂମିକା ନିଭାଇବ । ହେଲେ ଏଭଳି ଘଟଣା ପରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ମମତାଙ୍କ ଉପରେ କିଣାବିକାର ଅଭିଯୋଗ ଆଣିଛନ୍ତି ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଧିର ରଂଜନ ଚୌଧୁରୀ କହିଛନ୍ତି କି, ଯଦି ସାହସ ଅଛି ତେବେ ସେହି ୧୨ ଜଣ ବିଧାୟକଙ୍କୁ ଟିଏମସିର ଦଳୀୟ ଚିହ୍ନରେ ନିର୍ବାଚନ ଲଢାଇ ଜିତନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ଚୌଧୁରୀ ।