କଲପେଟ୍ଟାରେ ହିଂସା ଘଟଣାରେ ପ୍ରତିକ୍ରିୟା ରଖିଲେ ରାହୁଲ। ଏହା ୱାଇନାଡାର ଲୋକଙ୍କ କାର୍ଯ୍ୟାଳୟ, ଏଠି ଭଙ୍ଗାରୁଜା ଦୁର୍ଭାଗ୍ୟପୂର୍ଣ୍ଣ।

84

କନକ ବ୍ୟୁରୋ: ଗତ ସପ୍ତାହରେ କେରଳର କଲପେଟ୍ଟାରେ ରାହୁଲ ଗାନ୍ଧୀଙ୍କ ଅଫିସରେ ଭଙ୍ଗାରୁଜା ହୋଇଥିଲା । ଏ ଘଟଣାର ନିନ୍ଦା କରିବା ସହ ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ସେ କହିଛନ୍ତି, ଏହା ୱାଇନାଡାର ଲୋକଙ୍କ କାର୍ଯ୍ୟାଳୟ । ଯାହା କିଛି ହୋଇଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ । କେବେ ହେଲେ ହିଂସା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ । ଏଭଳି କରୁଥିବା ଲୋକ ଦାୟିତ୍ୱହୀନ ଭାବେ କାମ କରୁଛନ୍ତି । ସେମାନଙ୍କ ସହ ମୋର କୌଣସି ଶତ୍ରୁତା ନାହିଁ ।

ଦେଶରେ ବର୍ତ୍ତମାନର ମାହୋଲ ପାଇଁ ସରକାରରେ ଥିବା ଦଳ ଦାୟୀ । ତିନି ଦିନିଆ ଗସ୍ତରେ କେରଳ ପହଞ୍ଚିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହି ଗସ୍ତ ବେଳେ ସେ ମନାଥବଡିରେ କୃଷକ ବ୍ୟାଙ୍କର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ସେହିଭଳି ବାଥେରୀରେ ୟୁଡିଏଫ ବହୁଜନ ସଙ୍ଗମରେ ଭାଗନେଇଥିଲେ । ୱାଇନାଡାରେ ମଧ୍ୟ ସେ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ମିଳିଛି ।

ତେବେ ଶୁକ୍ରବାର ସମ୍ବୋଧନ ବେଳେ ରାହୁଲ କହିଛନ୍ତି, ଆଜି ଆମ କୃଷକ ଏବଂ ଚାଷ କାମକୁ ନଜର ଅନ୍ଦାଜ କରାଯାଉଛି । କୃଷକଙ୍କୁ ତାଙ୍କ ଅବସ୍ଥା ଉପରେ ଛାଡିଦିଆଯାଉଛି । ଲଗାତର ସେମାନଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି । କେନ୍ଦ୍ରରେ ଥିବା ସରକାର କୃଷକଙ୍କ ପ୍ରତି ଧ୍ୟାନ ଦେଉନାହିଁ ।