ଗଡିଲା କଂଗ୍ରେସର ଆଉ ଏକ ୱିକେଟ୍ । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ପୂର୍ବ କେନ୍ଦ୍ରମନ୍ତ୍ରୀ ଜିତୀନ ପ୍ରସାଦ

752

କନକ ବ୍ୟୁରୋ : ଜ୍ୟେତିରାଦିତ୍ୟ ସ୍କିନ୍ଦିଆଙ୍କ ପରେ ରାହୁଲ ଗାନ୍ଧୀଙ୍କ ଟିମ୍ ର ଆଉଏକ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ କଂଗ୍ରେସ ହାତରୁ ଯାଇଛି । କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତୀନ ପ୍ରସାଦ ଆଜି ବିଜେପିରେ ସାମିଲ ହୋଇଉଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆଜି ଜିତୀନ ପ୍ରସାଦଙ୍କୁ ବିଜେପିରେ ସାମିଲ କରାଇଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ତୀନ ପ୍ରସାଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବାସଭବନରେ ପହଂଚି କିଛି ଆଲୋଚନା କରିଥିବା ଜଣାପଡିଛି ।
କୁହାଯାଇଛି କି କଂଗ୍ରେସର ବଡ ବ୍ରାହ୍ମଣ ଚେହେରା କୁହାଯାଉଥିବା ଜିତୀନ ପ୍ରସାଦ କିଛିଦିନ ହେବ ଦଳର ହାଇକମାଣ୍ଡଙ୍କ ଉପରେ ସନ୍ତୋଷ୍ଟ ନଥିଲେ । ସେ ଦଳ ଭିତରେ ଚାଲିଥିବା ବିଭିନ୍ନ ବିଶୃଙ୍ଖଳାକୁ ନେଇ ହାଇକମାଣ୍ଡଙ୍କ ପାଖରେ ଅଭିଯୋଗ କରିଥିଲେ ବି ହାଇକମାଣ୍ଡ ଏହା ଉପରେ କୌଣସି ବିଚାର କରି ନଥିଲେ । ଏହି କାରଣରୁ ସେ ଆଜି ବିଜେପିରେ ସାମିଲ ହୋଇଥିବା ଜଣାପଡିଛି ।

ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ବିରୋଧୀ ମାନଙ୍କୁ ଦଳରେ ସାମିଲ କରିବାକୁ ସବୁ ପ୍ରକାର ଚେଷ୍ଟା ଚଳାଇଛି । କିଛି ଗଣମାଧ୍ୟମର ସୂଚନା ମୁତାବକ ଉତ୍ତରପ୍ରଦେଶରେ ବ୍ରାହ୍ମଣମାନେ ଯୋଗୀଙ୍କ ଉପରେ ଅସନ୍ତୋଷ୍ଟ ଥିବା ବେଳେ ଜିତୀନ ପ୍ରସାଦଙ୍କୁ ଦଳରେ ସାମିଲ କରି ବିଜେପି ବ୍ରାହ୍ମଣ ଭୋଟରଙ୍କୁ ସନ୍ତୋଷ୍ଟ କରିବାକୁ ଚେଷ୍ଟା କରୁଛି ।

କହିରଖୁ କି ଜିତୀନ ପ୍ରସାଦ କଂଗ୍ରେସର ଜଣାଶୁଣା ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ । ଜିତେନ୍ଦ୍ର ପ୍ରସାଦ ଦୁଇଜଣ ପ୍ରଧାନମନ୍ତ୍ରୀ (ରାଜୀବ ଗାନ୍ଧୀ ଓ ପିଭି ନରସିହ୍ମା ରାଓ) ଙ୍କର ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଏହାହସ ୨୦୦୦ ମସିହାରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସେ ସୋନିଆ ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ । ୨୦୦୧ ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଏହାପରେ ବାପାଙ୍କ ରାଜନୈତିକ ଉତରାଧିକାରୀ ଭାବେ ଜିତୀନ ପ୍ରସାଦ ୨୦୦୧ ରେ ଭାରତୀୟ ଜାତୀୟ ଯୁବ କଂଗ୍ରେସରେ ସାମିଲ ହୋଇଥିଲେ । ୨୦୦୪ ରେ ସେ ଶାହାଜାହାଁପୁର ଲୋକସଭା ନିର୍ବାଚନ କ୍ଷେତ୍ରରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ଲୋକସଭାରେ ପହଂଚିଥିଲେ । ୟୁପିଏ-୧ ସରକାରରେ ସବୁଠାରୁ କନିଷ୍ଠ ଯୁବ ଚେହେରା ଭାବେ ସେ ମନମୋହନ ସିଂ ସରକାରରେ ମନ୍ତ୍ରୀ ପଦ ପାଇଥିଲେ ।

କଂଗ୍ରେସର ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଗଡ କୁହାଯାଉଥିବା ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୨୦୧୭ ବିଧାନସଭା ନିର୍ବାଚନରେ ମୋଦିଙ୍କ ଯୋଗୀ କାର୍ଡ କଂଗ୍ରେସକୁ ଧରାସାୟୀ କରିଥିଲା    । ଏହାପରେ ୨୦୨୨ ନିର୍ବାଚନ ପାଇଁ ପ୍ରିୟଙ୍କା ଉତ୍ତରପ୍ରଦେଶ କଂଗ୍ରେସର ଗଡ ସମ୍ଭାଳିବାକୁ ଦାୟିତ୍ୱ ନେଇଥିବା ବେଳେ ନିର୍ବାଚନ ପୂର୍ବରୁ ଏଭଳି ହେଭିୱେଟ୍ ନେତା ଦଳ ଛାଡିବା କଂଗ୍ରେସ ପାଇଁ ବିପଦ ସଂକେତ ବୋଲି କୁହାଯାଉଛି ।