କଂଗ୍ରେସ ନେତାଙ୍କୁ ଦିଲ୍ଲୀରୁ ନୋଟିସ୍ । ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଓ ବିଧାୟକ ମହମ୍ମଦ ମୋକିମଙ୍କୁ ନୋଟିସ୍ ଜାରି । ପ୍ରତିକ୍ରିୟା ଦେବାକୁ ମନା କଲେ ଦୁଇ ନେତା

194

କନକ ବ୍ୟୁରୋ: ଥମୁନି କଂଗ୍ରେସ କଳି । ଦଳ ପୁଣି ଥରେ କେନ୍ଦ୍ରରେ କ୍ଷମତାକୁ ଫେରିବାକୁ ବଳ କଷୁଥିବା ବେଳେ ରାଜ୍ୟରେ କଂଗ୍ରେସର ଭିତିରି କନ୍ଦଳ ପଦାରେ ପଡ଼ିଛି । ରାଜ୍ୟର ଦୁଇ ବରିଷ୍ଠ ନେତାଙ୍କୁ ଦିଲ୍ଲୀରୁ ନୋଟିସ୍ ହୋଇଛି । କଂଗ୍ରେସର ଦୁଇ ବିରଷ୍ଠ ନେତା ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଏହି ନୋଟିସ୍ ହୋଇଛି ।

  • କଂଗ୍ରେସ ନେତାଙ୍କୁ ନୋଟିସ୍
  • କାରଣ ଦର୍ଶାଅ ନୋଟିସ୍ କଲା ଏଆଇସିସି

କଂଗ୍ରେସର ଦୁଇ ବିରଷ୍ଠ ନେତା ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ୍ । ଏଆଇସିସି ଶୃଙ୍ଖଳା କମିଟି ପକ୍ଷରୁ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକିମଙ୍କୁ ନୋଟିସ୍ ଜାରି ହୋଇଛି । ଦଳ ବିରୋଧୀ ମନ୍ତବ୍ୟ କାହିଁକି ଦେଲେ, ସେ ନେଇ କାରଣ ଦର୍ଶାଇବାକୁ ନୋଟିସରେ କୁହାଯାଇଥିବା ସୂଚନା ମିଳିଛି । ତେବେ ନୋଟିସ ନେଇ ଦୁଇ ନେତା କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ନୋଟିସ୍ ପାଇନଥିବାରୁ ସେ ସମ୍ପର୍କରେ କିଛି କହିବେ ନାହିଁ ବୋଲି କହିଛନ୍ତି ।

ନୋଟିସ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏଆଇସିସିର କାରଣ ଦର୍ଶାଅ ନୋଟିସ ବାବଦରେ ଅଧିକ କିଛି କହିବେ ନାହିଁ । ଯାହା ଅଭିଯୋଗ ଆସିଥିଲା, ତାକୁ ଏଆଇସିସିକୁ ପଠାଇ ଦିଆଯାଇଥିଲା । ଏଆଇସିସି ଯାହା ନିଷ୍ପତି ନେଇଥିବ । ହେଲେ ସେ ସମସ୍ତଙ୍କୁ ନେଇ ବିଜେଡି –ବିଜେପି ବିରୋଧରେ ଲଢ଼େଇ କରିବାକୁ ଚେଷ୍ଟା କରିବେ । କିନ୍ତୁ ରାସ୍ତାରେ ଯଦି କିଏ ବିରୋଧ କରିବ, ବା ବିଶୃଙ୍ଖଳିତ ଆଚରଣ କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଦଳରେ ରହି ଦଳ ବିରୋଧରେ ବୟାନ ନଦେବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ସୁର ରାଉତରାୟ ।

ମେ’ ୮ତାରିଖରେ ସୂଚନା ଭବନରେ ଆୟୋଜିତ ଜାନକୀ-ବସନ୍ତଙ୍କ ଯୋଡି କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ, ରାଜ୍ୟ କଂଗ୍ରେସର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଉପନିର୍ବାଚନର ମାତ୍ର ଦିନକ ପୂର୍ବରୁ, ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳ ଦଳର ନେତୃତ୍ୱ ନେଇ ପ୍ରଶ୍ନ ଉଠାଇବା ଭୋଟକୁ ପ୍ରଭାବିତ କରିଥିଲା ବୋଲି ଅଭିଯୋଗ କରିଥିଲା ଝାରସୁଗୁଡା ଜିଲ୍ଲା କଂଗ୍ରେସ ।