ବିଦ୍ରୋହ ପରେ ବୁଝାମଣା: ବୁଲି ପଡିଲେ ନିରଞ୍ଜନ ବିରୋଧୀ । ଶରଣ ପଶିଲେ, ଭୀଷ୍ମ ସଜାଇଲେ । କହିଲେ ଦଳକୁ ଦରକାର ଅର୍ଜୁନ

549

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି । ପୁରୁଣା ରୋଗ ବାହାରିବା ପରେ କିଛି ନେତା ବିଳିବିଳେଇଥିଲେ ଆଉ ପିସିସି ହଟାଅ ଅଭିଯାନରେ ବାହାରିଥିଲେ । ତେବେ ୨ ଦିନ ତଳେ ପିସିସି ସଭାପତି ହଟାଅ ଅଭିଯାନରେ ଯେଉଁ ନେତାମାନେ ମେଳି ବାନ୍ଧିଥିଲେ, ବିରୋଧ କରୁଥିଲେ ଆଜି ସେହି ନେତାମାନେ ନିରଞ୍ଜନଙ୍କ ସହ ବୁଝାମଣା କରିଛନ୍ତି, ତାଙ୍କ ଶରଣ ପଶିଛନ୍ତି ।

ତେବେ ନିରଞ୍ଜନ ବି ମୌକାର ହାତ ଛଡା କରିନାହାନ୍ତି । ବୁଝାମଣା କରିବାକୁ ଆସିଥିବା ଏହି ନେତାମାନଙ୍କୁ ଧୁମ ଟିଉସନ କରିଛନ୍ତି । ପୂର୍ବରୁ ମେଳି ବାନ୍ଧିଥିବା ନେତାମାନେ ଆଜି ବୟାନ ବଦଳାଇ କହିଛନ୍ତି, ନିରଞ୍ଜନ ଭୀଷ୍ମ ପିତାମହ । ଦଳକୁ ଏବେ ଅର୍ଜୁନଙ୍କ ପରି ଯୁବନେତାଙ୍କ ଆବଶ୍ୟକତା ରହିଛି । ଆମେ ତାଙ୍କ ଆଶିର୍ବାଦ ନେବାକୁ ଆସିଛୁ । ନିରଞ୍ଜନ ଇସ୍ତଫା ଦେଇସାରିଛନ୍ତି, ସେ ବର୍ତ୍ତମାନ ଆଭ୍ୟନ୍ତରୀଣ ସଭାପତି ଅଛନ୍ତି । ତେଣୁ ପରବର୍ତ୍ତୀ ସଭାପତି ପାଇଁ ଏଆଇସିସିକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ।

ତେବେ ୨ ଘଣ୍ଟାର ବୈଠକ ପରେ ନିରଞ୍ଜନ କହିଛନ୍ତି, ସାରା ଓଡିଶାରେ କଂଗ୍ରେସର ବିପର୍ଯ୍ୟୟ ଦେଖି ସେମାନେ ହତାସ ହୋଇପଡିଛନ୍ତି । ଆଉ ସେଥିପାଇଁ ଏପରି ବୟାନବାଜି କରିଛନ୍ତି । ସେପଟେ ବୈଠକ ପରେ ନିରଞ୍ଜନ ବିରୋଧୀ ନେତାମାନେ ଗଣମାଧ୍ୟମ ଉପରକୁ ଦୋଷ ଠେଲି ଖସିଯିବାକୁ ଚେଷ୍ଟା କରିଛନ୍ତି ।

ଗତ ବୁଧବାର ପାନ୍ଥନିବାସରେ ବସିଥିଲା ଅସନ୍ତୁଷ୍ଟଙ୍କ ବୈଠକ । ଏଥିରେ ବାପି ସର୍ଖେଲଙ୍କ ସମେତ ଅନେକ ଦ୍ୱିତୀୟ ଧାଡିର ନେତା ସାମିଲ ହୋଇଥିଲେ । ଆଉ ନିରଞ୍ଜନଙ୍କୁ ହଟାଇ ତାଙ୍କ ସ୍ଥାନରେ ମହମ୍ମଦ ମୋକିମଙ୍କୁ ବସାଇବା ପାଇଁ ସିଧାସଳଖ କହିଥିଲେ ଏହି କଂଗ୍ରେସ ଗୋଷ୍ଠୀ । ମାତ୍ର ମେଳି ବାନ୍ଧିବାର ଗୋଟିଏ ଦିନ ପରେ ସାଙ୍ଗେ ସାଙ୍ଗେ ବୁଲି ପଡିଛନ୍ତି ବିରୋଧ କରୁଥିବା ଅସନ୍ତୁଷ୍ଟ ନେତା । ଆଉ ମତ ବଦଳାଇ ନିରଞ୍ଜନଙ୍କ ଶରଣ ପଶିଛନ୍ତି । ତେବେ ହାତ ପାପୁଲିରେ ନିରଞ୍ଜନଙ୍କୁ ନେଇ ହେଉଥିବା ‘ବିରୋଧ-ଶରଣ’ ନାଟକ କେଉଁ ଆଡେ ଗତି କରୁଛି ତାହା ଦେଖିବାକୁ ବାକି ।