ରାଜସ୍ଥାନରେ ସଙ୍କଟରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଖାସ୍ ଅନୁଗତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା, ରାହୁଲଙ୍କୁ ଭେଟିଲେ ଗେହଲଟ ଓ ପାଇଲଟ ।

490

କନକ ବ୍ୟୁରୋ : ସଙ୍କଟରେ ରାଜସ୍ଥାନ କଂଗ୍ରେସ ସରକାର । ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଏହାର ସାଇଟ ଇଫେକ୍ଟ କଂଗ୍ରେସ ଶାସିତ ରାଜ୍ୟ ଉପରେ ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ କଂଗ୍ରେସ ସରକାର ସଙ୍କଟରେ ପଡିଥିବା ବେଳେ ଏବେ ରାଜସ୍ଥାନରେ ସମାନ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ରାଜସ୍ଥାନରେ ସରକାର ବଞ୍ଚାଇବା ଏବେ କଂଗ୍ରେସ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । କାରଣ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅତି ବିଶ୍ୱସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରିକି ଏହି ମନ୍ତ୍ରୀ ଜଣକ ଏବେ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି ।

ଏଭଳି ସ୍ଥିତିରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ଦଳୀୟ ମୁଖପାତ୍ର ରଣଦୀପ ସୁରେଜୱାଲା ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ତେବେ ଏହି ଭେଟଘାଟ ସମୟରେ କଣ ଆଲୋଚନା ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଭେଟଘାଟ ସମୟରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପ୍ରସଙ୍ଗରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଏପରିକି ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ନ ଦେବାକୁ ମନାଇବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି ।

ତେବେ ଏହି ଭେଟଘାଟର ଅନ୍ୟ ଏକ ଦିଗ ମଧ୍ୟ ରହିଛି । ପୂର୍ବରୁ ସିଡବ୍ଲୁସି ବୈଠକରେ କଂଗ୍ରେସର ପରାଜୟ ନେଇ ବରିଷ୍ଠ ନେତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ରାହୁଲ । ଖାସକରି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟ ଓ କମଲନାଥଙ୍କ ପୁଅ ନିର୍ବାଚନ ଲଢିବା ଉପରେ ପରୋକ୍ଷରେ ପ୍ରଶ୍ନ ଉଠାଇଥିଲେ ରାହୁଲ । ଅବଶ୍ୟ ଅଶୋକଙ୍କ ପୁଅ ନିର୍ବାଚନରେ ହାରି ଯାଇଥିବା ବେଳେ କମଲନାଥଙ୍କ ପୁଅ ବିଜୟୀ ହୋଇଥିଲେ । ରାଜସ୍ଥାନରେ କଂଗ୍ରେସ କେବଳ ୨୫ ଲୋକସଭା ଆସନରେ ହାରିନାହିଁ ବରଂ ୨୦୦ ବିଧାନସଭା ଆସନରୁ ୧୮୫ ଆସନରେ ପଛୁଆ ରହିଥିଲା । ଯାହାକୁ ନେଇ ରାଜସ୍ଥାନରେ କଂଗ୍ରେସର ଶୀର୍ଷ ନେତୃତ୍ୱ ଉପରେ ପ୍ରଶ୍ନ ଉଠିଥିଲା । ଗତ କିଛି ମାସ ପୂର୍ବେ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ୨୦୦ ଆସନରୁ ୯୯ ସିଟରେ ବାଜି ମାରିଥିଲା କଂଗ୍ରେସ । ତେବେ ବିଏସପିି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗରେ ରାଜସ୍ଥାନରେ ସରକାର ଗଢିଛି କଂଗ୍ରେସ । ଏସବୁ ଭିତରେ କଂଗ୍ରେସ ନେତାଙ୍କ ଇସ୍ତଫା ଦେବା ଚର୍ଚ୍ଚା ରାଜସ୍ଥାନ ରାଜନୀତିର ପାରଦକୁ ବଢାଇଦେଇଛି ।