ପୁଡୁଚେରୀରେ ଭାଙ୍ଗିବ କି କଂଗ୍ରେସ ସରକାର । ରାହୁଲଙ୍କ ଗସ୍ତ ପୂର୍ବରୁ ସଂଖ୍ୟା ଗରିଷ୍ଠତା ହରାଇଲା କଂଗ୍ରେସ । ଇସ୍ତଫା ଦେଲେଣି ୪ ବିଧାୟକ

362

କନକ ବ୍ୟୁରୋ : ଦେଶର ମାନଚିତ୍ରରୁ କଂଗ୍ରେସ ଶାସିତ ରାଜ୍ୟ ଦିନକୁ ଦିନ କମିବାରେ ଲାଗିଛି । ମଧ୍ୟପ୍ରଦେଶ ପରେ ଏବେ ପୁଡୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବ ବୋଲି ଆଶଂକା କରାଯାଉଛି । ବୁଧବାର ଦିନ କଂଗ୍ରେସର ଯୁବନେତା ତଥା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କୁହାଯାଉଥିବା ରାହୁଲ ଗାନ୍ଧୀଙ୍କ ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ତାହା ପୂର୍ବରୁ ସେଠାରେ କଂଗ୍ରେସ ସରକାର ତା’ର ସଂଖ୍ୟା ଗରିଷ୍ଠତା ହରାଇଛି । ଏପର୍ଯ୍ୟନ୍ତ ଦଳର ୪ ଜଣ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି । ଗତ ୨ ଦିନ ମଧ୍ୟରେ ୨ ଜଣ ବିଧାୟକ ଇସ୍ତଫା ଦେବା ପରେ ସରକାର ଏବେ ସଂକଟରେ ପଡିଛି ।

କହିରଖୁ କି ପୁଡୁଚେରୀ ବିଧାନସଭାରେ ମୋଟ ୩୦ ଟି ବିଧାୟକ ଆସନ ଥିବା ବେଳେ ତା ମଧ୍ୟରୁ କଂଗ୍ରେସ ପାଖରେ ୧୫ ବିଧାୟକ ଥିଲେ ଓ ଏହା ସହ ୨ ଜଣ ଡିଏମକେ ବିଧାୟକ କଂଗ୍ରେସ ସରକାରକୁ ସମର୍ଥନ ଜଣାଇଥିଲେ । ତେବେ ୪ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ମାତ୍ର ୧୧ ଜଣ ବିଧାୟକ ରହିଛନ୍ତି ଫଳରେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ସରକାର ସଂକଟରେ ପଡିଛି ।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀ ତୁରନ୍ତ କ୍ୟାବିନେଟ୍ ବୈଠକ ଡାକିଥିବା ସୂଚନା ରହିଛି । ସେପଟେ ରାଜ୍ୟ ସାମାଜିକ କଲ୍ୟାଣ ମନ୍ତ୍ରୀ କାନ୍ଦା ସ୍ୱାମୀ ଏକ ଭିଡିଓ ଜାରି କରିଛନ୍ତି । ରାଜ୍ୟରେ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପ-ରାଜ୍ୟପାଳ କିରଣ ବେଦୀଙ୍କୁ ଦୋଷାରୋପ କରିଛନ୍ତି । ସେ କହିଛନ୍ତି କି ଗତ ୫ ବର୍ଷ ମଧ୍ୟରେ ଏମାନେ ରାଜ୍ୟରେ ଥିବା କଂଗ୍ରେସ ଓ ଡିଏମକେର ମିଳିତ ସରକାରକୁ ଅନେକ ଅସୁବିଧାରେ ପକାଇଛନ୍ତି ।  ସେ ଆହୁରି କହିଛନ୍ତି କି ଆସନ୍ତା ୨ ସପ୍ତାହ ମଧ୍ୟରେ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯିବ । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏକ ବୈଠକ ଡକାଇ ସରକାର ଭଙ୍ଗ ଓ ଆସନ୍ତା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି ।