ପୁଣି ପଦାରେ ପଡିଲା କଂଗ୍ରେସ କଳି । ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ଜଗତସିଂହପୁରର ଦୁଇ ଗୋଷ୍ଠୀ ମୁହାମୁହିଁ । ଓବିସି ସେଲ ଅଧ୍ୟକ୍ଷଙ୍କୁ ବିରୋଧ ପରେ ମାରପିଟ ।

124

କନକ ବ୍ୟୁରୋ: ଆଜି କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ହାତାହାତି ହୋଇଯାଇଛନ୍ତି । ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକ ଏବଂ ଚିରଞ୍ଜିବୀ ବିଶ୍ୱାଳଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଛି । ସ୍ଥିତିକୁ ସମ୍ଭାଳିବାକୁ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ହେଲାନି । ବଡ କଥା ହେଲା ପିସିସି ସଭାପତିଙ୍କ ଉପସ୍ଥିତିରେ ଏସବୁ କିଛି ଚାଲିଥିଲା । ପିସିସି ସଭାପତି ଉଭୟ ଗୋଷ୍ଠୀଙ୍କୁ ଡାକି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରିପାରିନଥିଲା । ଦେଖନ୍ତୁ ଆଜି କଂଗ୍ରେସ ଭବନରେ କେମିତି ଥିଲା ଦୃଶ୍ୟ ।

କଂଗ୍ରେସ ଭବନରେ ମାରପିଟର ଏହି ଦୃଶ୍ୟ କହୁଛି, ପ୍ରଦେଶ କଂଗ୍ରେସରେ କିଛି ଠିକ ଚାଲିନି । କର୍ମୀଙ୍କ ଭିତରେ କିପରି ଅସନ୍ତୋଷ ରହିଛି ତାହା ଏହି ଦୃଶ୍ୟରୁ ସ୍ପଷ୍ଟ ବାରିହୋଇପଡୁଛି । ଉପରୁ ସଜଡାଯାଉଥିବାର କଥା କୁହାଯାଉଥିଲେ ମଧ୍ୟ ଭିତରେ ପୁରା ଓଲଟା ସ୍ଥିତି ।

ଆଜି କଂଗ୍ରେସର ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କ ଅଧ୍ୟକ୍ଷତାରେ ଓବିସି ସେଲର ବୈଠକ ବସିବାର ଥିଲା । ଏଥିସହ ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର ଥିଲା । ତେବେ ଏହି ବୈଠକ ପୂର୍ବରୁ କଂଗ୍ରେସର ଦୁଇଟି ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ମହାଭାରତ ।

ଠେଲାପେଲା, ମୁଥା ମରାମରି । ବିଷ୍ଣୁ ବାରିକଙ୍କ ଗୋଷ୍ଠୀ ଏବଂ ଚିରଞ୍ଜିବୀ ବିଶ୍ୱାଳଙ୍କ ସମର୍ଥକ ମଧ୍ୟରେ ବିବାଦ ଭୟଙ୍କର ରୁପ ନେଇଥିଲା । ବରିଷ୍ଠ ବିଧାୟକ ସୁର ରାଉତରାୟ ସେଠାରେ ପହଂଚି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।

ଏହି ଗଣ୍ଡଗୋଳ ଚାଲିଥିବା ବେଳେ ବିଷ୍ଣୁ ବାରିକଙ୍କୁ ଏକ କୋଠରୀରେ ବନ୍ଦ କରି ରଖିଦେଇଥିଲେ ଗୋଟିଏ ଗୋଷ୍ଠୀ । ସେହି କୋଠରୀରୁ ବାହାରିବାପରେ ବିଷ୍ଣୁ ବାରିକଙ୍କ ଉତର ଥିଲା , ସେ ଦଳବିରୋଧି କାମ କରିନାହାନ୍ତି । ତାଙ୍କୁ ସହିନପାରି ଏପରି କାଣ୍ଡ କରାଯାଇଛି ।

ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ଏସବୁ କିଛି ଚାଲିଥିଲା । ଶେଷରେ ପିସିସି ସଭାପତି ଘଟଣାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଦୁଇ ଗୋଷ୍ଠୀଙ୍କୁ ଡକାଇ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସମାଧାନର ବାଟ ବାହାରିନଥିଲା । କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନ ଛାଡି ଚାଲିଯାଇଥିଲେ ।

ଘର କଳି ଯେତେବେଳେ ଦାଣ୍ଡରେ ପଡି ହାଟରେ ଗଡେ ସେତେବେଳେ କୋଉଠି ନା କୋଉଠି ଅସୁବିଧା ରହିଥାଏ । ଯାହା ଖୋଲାଖୋଲି ଦେଖିବାକୁ ମିଳିଥିଲା କଂଗ୍ରେସ ଭବନରେ ।