୨୦୧୯ ପାଇଁ କଂଗ୍ରେସ ଖେଳିଲା ପ୍ରିୟଙ୍କା କାର୍ଡ ! ମିଳିଲା ଦଳର ସାଧାରଣ ସଂପାଦିକା ଦାୟିତ୍ୱ, ମୋଦି ଓ ଯୋଗୀଙ୍କ ଗଡରେ ଦେଖାଇବେ ଦମ । 

179

କନକ ବ୍ୟୁରୋ : କଂଗ୍ରେସ ଖୋଲିଛି ତାର ସବୁଠୁ ବଡ ଟ୍ରମ୍ପକାର୍ଡ । ପ୍ରିୟଙ୍କା ଗାନ୍ଧିଙ୍କୁ ସକ୍ରୀୟ ରାଜନୀତିକୁ ଆଣିଛି କଂଗ୍ରେସ । ତାଙ୍କୁ ଦଳର ସାଧାରଣ ସମ୍ପାଦିକା ପଦବୀରେ ଅବସ୍ଥାପିତ କରିଛି ଏଆଇସିସି । ଏହା ସହ ତାଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ୱ ମଧ୍ୟ ଦିଆଯାଇଛି । ପୂର୍ବରୁ ନିଜ ମାଆ ସୋନିଆ ଗାନ୍ଧି ଓ ଭାଇ ରାହୁଲ ଗାନ୍ଧିଙ୍କ ନିର୍ବାଚନରେ ସେ ଷ୍ଟାର କ୍ୟାମ୍ପେନର ହୋଇ କାମ କରି ଆସିଥିବା ବେଳେ ଏବେ ଆନୁଷ୍ଠାନିକ ଭାବେ କଂଗ୍ରେସ ତାଙ୍କୁ ରାଜନୀତିର ମଇଦାନକୁ ଆଣିଛି । ପ୍ରିୟଙ୍କାଙ୍କ ଏହି ଏଂଟ୍ରି ଦଳକୁ କେତେ ଲାଭ ଦେବ ତାହା ଉପରେ ଏବେ ନଜର ।

୨୦୧୯ ନିର୍ବାଚନ ପୂର୍ବରୁ ରାହୁଲଙ୍କ ବଡ ନିଷ୍ପତ୍ତି । ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟଙ୍କା ଗାନ୍ଧି । ଦଳର ସାଧାରଣ ସଂପାଦିକା ନିଯୁକ୍ତି ସହ ଦିଆଯାଇଛି ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ । ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା । ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିବା ଲାଗି କଂଗ୍ରେସ ନେତା ଓ କର୍ମୀ ବହୁଆଗରୁ ଦାବି କରିଆସୁଥିଲେ । କଂଗ୍ରେସର କୌଣସି ପଦପଦବୀରେ ନଥାଇ କେବଳ ମାଆ ଓ ଭାଇଙ୍କ ପ୍ରଚାର କରିଥିଲେ ପ୍ରିୟଙ୍କା । ୨୦୧୪ରେ ଉଭୟ ଆମେଠି ଓ ରାଏବରେଲିରେ ରାହୁଲ ଓ ସୋନିଆଙ୍କ ପାଇଁ ପ୍ରଚାର କରିଥିଲେ । ୨୦୧୨ରେ ମଧ୍ୟ ଏହି ଦୁଇ ବିଧାନସଭା କ୍ଷେତ୍ରରେ କଂଗ୍ରେସ ପାଇଁ କ୍ୟାମ୍ପେନ୍ କରିଥିଲେ ପ୍ରିୟଙ୍କା । ଏପରିକି ୨୦୦୪ରେ ମାଆ ସୋନିଆଙ୍କ ପାଇଁ କ୍ୟାମ୍ପେନ ମ୍ୟାନେଜର ଓ ୨୦୦୭ରେ ଭାଇ ରାହୁଲଙ୍କ ପାଇଁ କ୍ୟାମ୍ପେନ ସୁପରଭାଇଜର ଦାୟିତ୍ୱ ତୁଲାଇଥିଲେ ।

୨୦୧୯ରେ ନିର୍ଣ୍ଣାୟକ ଲଢେଇ ପାଇଁ କଂଗ୍ରେସ ଆଗରେ ଅନେକ ଆହ୍ୱାନ ରହିଛି । କାରଣ କଂଗ୍ରେସକୁ ବାଦଦେଇ ଏଠାରେ ହାତ ମିଳାଇଛନ୍ତି ଏସପି ଓ ବିଏସପି । ଏଭଳି ଏକ ଘଡିସନ୍ଧି ମୁହୂର୍ତରେ ପ୍ରିୟଙ୍କାଙ୍କୁ ଆଗକୁ ଆଣି ପୂର୍ବ ଉତର ପ୍ରଦେଶର ଦାୟିତ୍ୱ ଦେଇଛନ୍ତି ରାହୁଲ ଗାନ୍ଧି ।  ସୋନିଆଙ୍କ ପରେ ପ୍ରିୟଙ୍କାଙ୍କ ହାତରେ କଂଗ୍ରେସ କମାଣ ଦେବାଲାଗି ଦାବି ହୋଇଆସୁଥିଲା । ଏପରିକି ରାହୁଲଙ୍କ ଅପେକ୍ଷା ସେ ଅଧିକ ଗ୍ରହଣୀୟ ହୋଇପାରିବେ ବୋଲି କୁହାଯାଉଥିଲା । ଶେଷରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କ ଏଂଟ୍ରି କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରିଛି । ଉତର ପ୍ରଦେଶରେ ରହିଛି ମୋଟ୍ ୮୦ଟି ଲୋକସଭା ଆସନ । ଏସପି-ବିଏସପି ମେଂଟ ପରେ କଂଗ୍ରେସ ସମସ୍ତ ଆସନରେ ଲଢିବାକୁ ଘୋଷଣା କରିଛି । ତେଣୁ ପ୍ରିୟଙ୍କାଙ୍କୁ ପୂର୍ବ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପଶ୍ଚିମ ଉତର ପ୍ରଦେଶର ଦାୟିତ୍ୱ ଦିଆଯାଇଛି । କୁହାଯାଉଛି ପୂର୍ବାଂଚଳରେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସିଧାସଳଖ ମୁକାବିଲା କରିବେ ପ୍ରିୟାଙ୍କା । କାରଣ ଦୁଇ ନେତା ପୂର୍ବାଞ୍ଚଳକୁ ପ୍ରତିନିଧିତ୍ୱ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ପୂର୍ବାଂଚଳରେ ବାରଣାସୀ ଲୋକସଭା ଆସନରୁ ଜିତି ଦେଶର ପ୍ରଧାନମନ୍ତ୍ରୀ ବନିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେହି ପୂର୍ବାଂଚଳରେ ଗୋରଖପୁର ସଂସଦୀୟ କ୍ଷେତ୍ରରୁ ବାରମ୍ବାର ଜିତିଥିଲେ । ପୂର୍ବାଂଚଳରେ ମୋଦି-ଯୋଗୀ ହାୱାର ମୁକାବିଲା କରିବେ ପ୍ରିୟଙ୍କା ।  ଉତର ପ୍ରଦେଶର ପୂର୍ବାଂଚଳ କ୍ଷେତ୍ର ଦିନେ କଂଗ୍ରେସର ଗଡଥିଲା । ଏଠାରେ ଥିବା ବ୍ରାହ୍ମଣଙ୍କ ଭୋଟ୍ ମଣ୍ଡଳ କମିଶନ୍ ପରେ ବିଜେପି ଆଡକୁ ଢଳିଲା । ପରେ ମାୟାବତୀଙ୍କ ବିଏସପି ଓ ପୁଣି ୨୦୧୪ରେ ବିଜେପି ଖାତାକୁ ଯାଇଛି । ଏବେ ପ୍ରିୟଙ୍କା କଂଗ୍ରେସର ଏହି ପକେଟ୍ ଭୋଟକୁ ଫେରାଇ ଆଣିବେ ବୋଲି ଦଳ ଆଶା ବାନ୍ଧିଛି । କାରଣ ଭୋଟ୍ ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ରଣନୀତି ଅନେକବାର କଂଗ୍ରେସକୁ ଫାଇଦା ଦେଇଥିବା ଦଳ ଅନୁମାନ କରୁଛି ।