ମାନବାଧିକାର କର୍ମୀ ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ମିଳିତ ଜାତିସଂଘର ଶୋକ । ମାନବିକ ଅଧିକାର ଶାଖାର ହାଇ କମିଶନର କହିଲେ ସ୍ୱାମୀଙ୍କ ହାଜତ ମୃତ୍ୟୁ କରିଛି ମର୍ମାହତ । କଂଗ୍ରେସ ଓ ବାମପନ୍ଥୀ ନେତା ଦେଲେ ପ୍ରତିକ୍ରିୟା ।

155

କନକ ବ୍ୟୁରୋ: ମାନବାଧିକାର କର୍ମୀ ଫାଦର ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ମିଳିତ ଜାତିସଂଘ ଚିନ୍ତା ପ୍ରକଟ କରିଛି । ମାନବିକ ଅଧିକାର ଶାଖାର ହାଇ କମିଶନର କହିଛନ୍ତି ଏହି ଘଟଣା ସେମାନଙ୍କୁ ମର୍ମାହତ କରିଛି ଏବଂ ବିଚଳିତ ମଧ୍ୟ କରିଛି । ଏକ ଟ୍ୱିଟ୍ କରି ମିଳିତ ଜାତିସଂଘ କହିଛି କରୋନା ହୋଇଥିବା ସତ୍ତେ୍ୱ ଷ୍ଟାନ ସ୍ୱାମୀଙ୍କୁ ଲମ୍ବା ସମୟ ଧରି ଜେଲରେ ରଖାଯାଇଥିଲା । ସାରାଜୀବନ ଆଦିବାସୀଙ୍କ ପାଇଁ ଲଢିଆସୁଥିବା ଫାଦର ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ଅନେକ ରାଜନୈତିକ ଓ ସାମାଜିକ କର୍ମୀ । ୮୪ ବର୍ଷୀୟ ସ୍ୱାମୀଙ୍କ ମୃତ୍ୟୁକୁ ସୋସିଆଲ ମିଡିଆରେ ନାୟକ ହତ୍ୟା ବୋଲି କୁହାଯାଉଛି ।

କଂଗ୍ରେସ ନେତା ଗିରିଶ ଚୋଡଙ୍କର କହିଛନ୍ତି, ସ୍ୱାମୀଙ୍କ ହେପାଜତ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରୁଛି । ସରକାଙ୍କ ଅତ୍ୟାଚାରର ଆଉ ଏକ ଜ୍ୱଳନ୍ତ ଉଦାହରଣ । ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ହୃଦୟରୁ ସମବେଦନା, ଷ୍ଟାନ ସ୍ୱାମୀ ଉଭୟ ନ୍ୟାୟ ଓ ମାନବିକତାର ହକଦାର ଥିଲେ । ଅନ୍ୟପଟେ ସୀତାରାମ ୟେଚୁରୀ ସ୍ୱାମୀଙ୍କ ମୃତ୍ୟୁକୁ ହେପାଜତ ହତ୍ୟା ଘୋଷଣା କରିବା ଉଚିତ ।

ଅନ୍ୟପଟେ ଡିଏମକେ ନେତା ଦୟାନିଧି ମାରନ ସ୍ୱାମୀଙ୍କ ମୃତ୍ୟୁ ଘଟଣାକୁ ସଂସଦରେ ଉଠାଇବୁ ବୋଲି କହିଛନ୍ତି । ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନ୍ନରାଇ ବିଜୟନ କହିଛନ୍ତି ଅତ୍ୟାଚାର ପାଇଁ ଲଢେଇ କରୁଥିବା ବ୍ୟକ୍ତି ଜେଲରେ ମୃତ୍ୟୁ ବରଣ କଲେ, ଗଣତନ୍ତ୍ରରେ ଏଭଳି ଅତ୍ୟାଚାରର କୌଣସି ସ୍ଥାନ ନାହିଁ ।

ଅକ୍ଟୋବର,୨୦୨୦ରେ ଷ୍ଟାନ ସ୍ୱାମୀଙ୍କୁ ମାଓବାଦୀଙ୍କ ସହ ସମ୍ପର୍କ ରଖିବା ଏବଂ ଭିମା କୋରେଗାଓଁ ହିଂସା ମାମଲାରେ ଗିରଫ କରିଥିଲା ଏନଆଇଏ । ୮୪ ବର୍ଷରେ ଗିରଫ ହୋଇଥିବା ସ୍ୱାମୀ ନିଜ ଜାମିନ୍ ପାଇଁ ୪ଥର ଆବେଦନ ବି କରିଥିଲେ । ମାତ୍ର ଜାମିନ୍ ପାଇଁ ଅପେକ୍ଷା କରି କରି ଆଖି ବୁଜିଦେଲେ ଷ୍ଟାନ ସ୍ୱାମୀ । କରୋନା ମହାମାରୀ ସମୟରେ ଯେତେବେଳେ ଏକାଧିକ କଏଦୀଙ୍କୁ ଜାମିନ ପ୍ରଦାନ କରାଯାଉଥିଲା, ସେତେବେଳେ ଷ୍ଟାନ ସ୍ୱାମୀଙ୍କ ଭଳି ଜଣେ ମାନବାଧିକାର କର୍ମୀ ତଥା ୮୪ ବର୍ଷୀୟ ବୃଦ୍ଧଙ୍କ କାରାଗର ମୃତ୍ୟୁକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।