ବିହାରରେ ମହାଗଠବନ୍ଧନର ଭେଳା ବୁଡାଇଲା କଂଗ୍ରେସ, ଗୁଜୁରାଟରେ ଏନସିପି ଓ ବିଏସପିକୁ କିଛି ଆସନ ନଦେଇ ନିଜେ ବୁଡିଲା କଂଗ୍ରେସ ଆଉ ମଧ୍ୟପ୍ରଦେଶରେ ଏସପି ଓ ବିଏସପି ପାଇଁ କ୍ଷମତା ଠାରୁ ଦୂରରେ

200

କନକ ବ୍ୟୁରୋ : ଗୁଜୁରାଟ, ବିହାର, ମଧ୍ୟପ୍ରଦେଶ ନିର୍ବାଚନ ଓ କଂଗ୍ରେସର ନିର୍ବାଚନ ରଣନୀତି ଉପରେ ଏବେ ଆଲୋକପାତ କରିବାର ସମୟ ଆସିଛି । ସଦ୍ୟ ବିହାର ନିର୍ବାଚନର ଫଳା ଫଳକୁ ଦେଖିଲେ କଂଗ୍ରେସ ଯେ ପତନର ଶେଷ ପାହାଚରେ ପହଂଚିସାରିଲାଣି ତାହା ଆଉ ଅଛପା ନାହିଁ । କଂଗ୍ରେସର ସ୍ଥିତି ଏମିତି ହୋଇଛି ଯେ ଭୋଟରଙ୍କ ପାଖରେ ନେତା ହରାଉଛନ୍ତି ଆସ୍ଥା । ନେତାଙ୍କ ପାଖରେ ନେତୃତ୍ୱ ହରାଉଛି ବିଶ୍ୱାସ। ଆଉ ଦେଶର ଜନସାଧାରଣଙ୍କ ପାଖରେ କଂଗ୍ରେସର ଆଦର୍ଶ ହରାଉଛି ବିଶ୍ୱାସ । ଗାନ୍ଧୀଙ୍କ ଆଦର୍ଶରେ ତିଆରି ହୋଇଥିବା ଦେଶର ସର୍ବପୁରାତନ ରାଜନୈତିକ ଦଳ ଏବେ ଗାନ୍ଧୀଜୀଙ୍କ ଦଳ ଭଳି ସାଧା ହେବା ପରିବର୍ତ୍ତେ ନିର୍ବାଚନୀ ରାଜନୀତିର ଜଟିଳ ସମିକରଣ ଭିତରେ ଛନ୍ଦି ହୋଇ ଯାଇଛି । ସେ ଏକା ନୁହେଁ ବିହାର ନିର୍ବାଚନର ଫଳା ଫଳ ଆସିବା ପରେ ଏବେ ଆଞ୍ଚଳିକ ଦଳମାନେ ବି କଂଗ୍ରେସକୁ ସାଙ୍ଗରେ ନେଇ ନିର୍ବାଚନ ଲଢିବାକୁ ଅଗ୍ରାହ୍ୟ ପ୍ରକାଶ କରିବା ସମ୍ଭବତ ସ୍ଥିର ।

ବିହାରର ବିଧାନସଭା ନିର୍ବାଚନ ଓ ମଧ୍ୟପ୍ରଦେଶର ଉପନିର୍ବାଚନ ଫଳା ଫଳ ଆସିବା ପରେ ମହାଗଠବନ୍ଧନକୁ ଯେ କଂଗ୍ରେସ ଡୁବାଇ ଦେଲା ତାହା କେହି ବି ମନା କରିପାରିବେ ନାହିଁ । ଏହି ୨ ଟି ରାଜ୍ୟର ନିର୍ବାଚନ ଫଳା ଫଳ ଆସିବା ପରେ ସୋସିଆଲ ମିଡିଆରେ କଂଗ୍ରେସର ନେତା ମାନେ ସେମାନଙ୍କର ପରାଜୟ ପାଇଁ ଅନ୍ୟକୁ ଯେତିକି ପରିମାଣର ଦୋଷ ଲଦିବାରେ ଲାଗିଛନ୍ତି ହୁଏତ ତାହାର ଚାରିଆଣା ଦୋଷ ଯଦି ନିଜର ରଣନୀତି ଉପରେ ଲଦି ପାରନ୍ତେ ତାହେଲେ ସେମାନେ ବିହାର, ଗୂୁଜୁରାଟ ଓ ମଧ୍ୟପ୍ରଦେଶରେ ପରାଜୟର ସାମ୍ନା କରିବାକୁ ପଡିନଥା’ନ୍ତା ।

ପ୍ରଥମେ ଗୁଜୁରାଟ କଥା ଦେଖିଲେ ଏଠାରେ ନିର୍ବାଚନ ପୂର୍ବରୁ କଂଗ୍ରେସ, ଶରଦ ପାୱାରଙ୍କ ଏନସିପି ଓ ମାୟାବତୀଙ୍କ ବିଏସପି ସହ ମେଣ୍ଟ ହେବାର ସମ୍ଭାବନା ଦେଖା ଦେଇଥିଲା । ହେଲେ ସେମାନେ କଂଗ୍ରେସକୁ ମାତ୍ର ୧୦ ଟି ଲେଖାଏଁ ଆସନ ମାଗିବା ପରେ ମେଣ୍ଟରେ ଫାଟ ଆରମ୍ଭ ହୋଇଥିଲା କଂଗ୍ରେସ ସେମାନଙ୍କୁ ମାତ୍ର ୫ ଟି ଲେଖାଏଁ ଆସନ ଦେବାକୁ କହିବାରୁ ସେମାନେ ମେଣ୍ଟରୁ ଉହୁରି ଯାଇଥିଲେ । ଫଳ କ’ଣ ହେଲା ନା ସେମାନେ ନିଜ ସିଙ୍ଗରେ ମାଟି ତାଡିବାକୁ ପ୍ରସ୍ତୁତ ହେଲେ ଓ ଅଲଗା ଅଲଗା ଲଢିଲେ । ଏହି ନିର୍ବାଚନରେ କଂଗ୍ରେସକୁ ୭୯ ଟି ଆସନ ଓ ବିଜେପିକୁ ୯୯ ଟି ଆସନ ମିଳିଲା । ଏନସିପି ଓ ବିଏସପି ୨ ଟି ଲେଖାଏଁ ଆସନରେ ବିଜୟୀ ହେଲେ । କଂଗ୍ରେସ ୨୦ ଟି ଆସନରେ ୧୦୦ ରୁ ୫୦୦ ଭୋଟ ବ୍ୟବଧାନରେ ପରାଜିତ ହେଲା । ଯଦି କଂଗ୍ରେସ ଉଭୟ ଏନସିପି ଓ ବିଏସପିକୁ ୧୦ ଟି ଲେଖାଏଁ ଆସନ ଦେଇଥା’ନ୍ତା ତାହେଲେ ହୁଏତ ଗୁଜୁରାଟରେ କଂଗ୍ରେସ ସରକାର କରିବା ସୁନିଶ୍ଚିନ୍ତ ହୋଇଥାନ୍ତା ଓ ବିଜୟ ରୂପାଣୀଙ୍କ ସ୍ଥାନରେ ଗୁଜୁରାଟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଥାଆନ୍ତେ । ହେଲେ ନିର୍ବାଚନ ଫଳା ଫଳ ପରେ ଚାଲିଲା ଶୁଖିଲା ସମୀକ୍ଷା ।

 

ସେହିଭଳି ଭାବେ ମଧ୍ୟପ୍ରଦେଶରେ ସମାନ ସ୍ଥିତି ହେଲା । ମେଣ୍ଟ କରିବାକୁ ନେଇ ବିଏସପି ଓ ଏସପି ୨୦ ଓ ୧୫ ଆସନ ମାଗିଥିଲେ । ହେଲେ ଯଦି କଂଗ୍ରେସ ବିଏସପିକୁ ୧୫ ଟି ଓ ଏସପିକୁ ସର୍ବନିମ୍ନ ୫ ଟି ଆସନ ଛାଡିଥିଲେ ବିଜେପି ପୁରା ସଫା ହୋଇଯାଇଥା’ନ୍ତା । ହେଲେ କଂଗ୍ରେସ ଏକା ଲଡୁ ଖାଇବା ଚକ୍କରରେ ରହିଲା । ନିର୍ବାଚନ ଫଳା ଫଳ ଆସିବା ପରେ କଂଗ୍ରେସ ୧୧୪, ବିଏସପି ୨ ଓ ଏସପି ଗୋଟିଏ ଆସନରେ ବିଜୟୀ ହେଲେ । ହେଲେ ବିଏସପି ଓ ଏସପି ମିଶି ୩ ଆସନ ଜିତିଥିଲେ ବି ବିଏସପି ୨୦ ଲକ୍ଷ ଓ ଏସପି ୫ ଲକ୍ଷ ଭୋଟ ପାଇଲେ । ଯାହାକି ପ୍ରତିଦ୍ୱନ୍ଦିତାକୂୁ ୧୧୪-୧୦୯ କରିଦେଲା । ଅର୍ଥାତ ବିଜେପି ୧୦୯ ଆସନରେ ଜିତିଲା । ଫଳରେ ମାମା ଶିବରାଜ ସିଂ ଚୌହାନଙ୍କର ଚଉକି ଲୋଭ ବଢିଲା ଏବଂ ଏଥିରେ ବି ସେ ସଫଳ ହେଲେ । ଆଉ ତା ସହିତ କଂଗ୍ରେସର ଜଣେ ଟାଣୁଆ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ହରାଇଲା କଂଗ୍ରେସ । ପୁଣି ଚାଲିଲା ଆତ୍ମ ସମୀକ୍ଷା ।

ସଦ୍ୟ ସମାପ୍ତ ବିହାର ନିର୍ବାଚନ ଫଳା ଫଳକୁ ଯିଦି ଦେଖାଯିବ ତାହାଲେ ମହାଗଠବନ୍ଧନର ପରାଜୟ ପାଇଁ କଂଗ୍ରେସ ହିଁ ନିଶ୍ଚିନ୍ତ ଭାବେ ଦାୟୀ । ବିହାରରେ କଂଗ୍ରେସର ସ୍ଥିତି ଦୀର୍ଘବର୍ଷ ହେବ ଭଲ ନାହିଁ । ହେଲେ ସେ ଯେଭଳି ଭାବେ ମହାଗଠବନ୍ଧନରୁ ୭୦ ଟି ଆସନରେ ନେଇ ନିର୍ବାଚନ ଲଢିଲା ତାହା ମେଣ୍ଟ ପାଇଁ କାଳ ହେଲା । ୭୦ ଆସନ ଜାଗାରେ କଂଗ୍ରେସ ଯଦି ୪୦ ଟି ଆସନ ନେଇ ନିର୍ବାଚନ ମୈଦାନକୁ ଉହ୍ଲାଇଥାନ୍ତା ତାହେଲେ ବାହୁବଳ ଓ ଅର୍ଥବଳର ସୁଷମ ବଣ୍ଟନ କରି ଭଲ ଫଳ ପାଇପାରିଥାନ୍ତା । ଫଳରେ ବାକି ୩୦ ଟି ଆସନରେ ବିଜେପି ସହଜ ସୁଯୋଗ ପାଇପାରି ନଥାନ୍ତା । ଏହାସହ ବାମଦଳ ମାନଙ୍କୁ ଯଦି ଆଉ ୧୦ ଟି ଅଧିକ ଆସନ ମିଳିଥା’ନ୍ତା ତାହେଲେ ସେମାନେ ୧୬ ସ୍ଥାନରେ ପାଖା ପାଖି ୨୫ ଆସନରେ ଜୟଯୁକ୍ତ ହୋଇପାରିଥାନ୍ତେ ବୋଲି ଆଶା କରାଯାଉଥିଲା । ଆରଜେଡି ଓ ବାମଦଳ କିଛିଟା ଭଲ କରିଥିଲେ ବିହାର ଏନଡିଏର ଖେଳ ଖତମ ହୋଇଯାଇଥା’ନ୍ତା । ଏବେ ଆରମ୍ଭ ହେବ ସମୀକ୍ଷା ।

 

ଏହାପରେ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ରହିଛି ପଶ୍ଚିମବଙ୍ଗରେ । ଗତ ୨୦୧୩୬ ନିର୍ବାଚନରେ ପଶ୍ଚିମବଙ୍ଗରେ ବାମଫ୍ରଣ୍ଟ ସହ କଂଗ୍ରେସର ମେଣ୍ଟ ହୋଇଥିଲା । ହେଲେ ତାହା କିଛି ବି ଫଳପ୍ରଦ ହେଲା ନାହିଁ । କଂଗ୍ରେସକୁ ସାଙ୍ଗରେ ନେବା ଫଳରେ ବାମଫ୍ରଣ୍ଟର ଆସନ କମିଲା । ତେଣୁ ଏପରି ସ୍ଥିତିରେ ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନରେ ବାମଫ୍ରଣ୍ଟ କଂଗ୍ରେସ ସହ ମେଣ୍ଟ କରିବା ପୂର୍ବରୁ ହଜାରେ ଥର ସମୀକ୍ଷା କରିବ ।