ଚିନ୍ତା ବଢ଼ାଇଲା କଟକ-ଭୁବନେଶ୍ୱରର ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଟୁଇନସିଟିରେ ଉପୁଜିଲାଣି ଗୋଷ୍ଠୀ ସଂକ୍ରମଣ ସ୍ଥିତି 

ବିଏମସି କମିଶନର କହିଲେ, ଲୋକ ମାନୁନାହାଁନ୍ତି କଟକଣା, ସିଲିଂ 

195

କନକ ବ୍ୟୁରୋ: ଜନଗହଳିପୂର୍ଣ୍ଣ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ନେଇ ଆସୁଥିବା ସଂଖ୍ୟା ଯେତିକି ଲୋକଙ୍କୁ ଯେତିକି ବିବ୍ରତ କରୁଛି, ତାଠାରୁ ଅଧିକ ଚିନ୍ତା ବଢ଼ାଇ ଦେଉଛି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ବୟାନ । ସେ କହିଛନ୍ତି- ଦ୍ୱୈତନଗରୀ କଟକ- ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଛି । କେବଳ ସେତିକି ନୁହେଁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା  କରିଛନ୍ତି ।

ରାଜ୍ୟରେ ବଢ଼ୁଥିବା ସଂକ୍ରମଣରେ ପ୍ରାୟ ସବୁବେଳେ ଆଗରେ ରହୁଛି ଖୋର୍ଦ୍ଧା ଜିଲ୍ଲା । ଆଉ ଖୋର୍ଦ୍ଧା ଜିଲ୍ଲାର ସବୁଠୁ ଅଧିକ ମାମଲା ରାଜଧାନୀ ଭୁବନେଶ୍ୱରରୁ ଆସୁଛି । ନଜର ପକାନ୍ତୁ ୬ଦିନର ଭୁବନେଶ୍ୱରର ସଂକ୍ରମଣ ସଂଖ୍ୟା ଉପରେ ।

         ତାରିଖ        ଖୋର୍ଦ୍ଧା         ଭୁବନେଶ୍ୱର

  • ୨୮.୪.୨୧      ୧୮୪୦         ୧୦୪୪
  • ୨୭.୪.୨୧       ୧୦୯୨         ୭୭୩
  • ୨୬.୪.୨୧       ୯୫୮            ୭୦୮
  • ୨୫.୪.୨୧        ୮୭୫           ୬୮୩
  • ୨୪.୪.୨୧       ୧୧୮୯         ୭୪୫
  • ୨୩.୪.୨୧        ୯୫୦           ୬୯୮

ଏପଟେ ରାଜଧାନୀର ସଂକ୍ରମଣକୁ ରୋକିବା ପାଇଁ ତତ୍ପର ରହିଛି ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ । ସଂକ୍ରମଣ ବଢ଼ୁଥିବା ଅଂଚଳରେ ସିଲିଂ ଓ କନଟେନମେଂଟ ଜୋନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର । ତେବେ ଲୋକଙ୍କ ଜ୍ୱର ହେଉଥିଲେ ବି ପରୀକ୍ଷା କରୁନାହାଁନ୍ତି ଏବଂ କିଛି ଲୋକ ନିୟମ ମାନୁନଥିବା କହିଛନ୍ତି ବିଏମସି କମିଶନର । ଏପଟେ ଭୁବନେଶ୍ୱରର ସ୍ୱାସ୍ଥ୍ୟ ସେବା ନେଇ କମିଶନର କହିଛନ୍ତି, ଏବେ ୩ହଜାର ବେଡ୍ ରହିଛି । ୧୦ ଦିନ ଭିତରେ ଆହୁରି ୩ହଜାର ବେଡ୍ ବଢ଼ାଯିବ । ବର୍ତ୍ତମାନ ଥିବା ୩ ହଜାର ବେଡ୍ରୁ ୫୦% ଭର୍ତ୍ତି ଅଛି ।  ୮୫%ରୁ ଅଧିକ ଲୋକ ଘରୋଇ ସଂଗରୋଧରେ ଥିବା ସୂଚନା ଦେଇଛି ବିଏମସି କର୍ତୃପକ୍ଷ ।