ବାହାମାସକୁ ମାଡି ଆସିଛି ବଡ ବିପଦ । ଉଗ୍ରରୂପ ନେଇଛି ସାମୁଦ୍ରିକ ଝଡ ଡୋରିଆନ୍, ଜନବସତି ଆଡକୁ ମାଡି ଆସିଛି ଜୁଆର, ଫଶି ରହିଛନ୍ତି ହଜାର ହଜାର ଲୋକ ।

3,068

କନକ ବ୍ୟୁରୋ : ବାହାମାସରେ ମହାବାତ୍ୟା । ସାମୁଦ୍ରିକ ଝଡ଼ ଡ଼ୋରିଆନ୍, ବାହାମାସ୍ ପାଇଁ ଏକ ବଡ ଧରଣର ବିପର୍ଯ୍ୟୟ ଆଣିଛି । ଘଂଟା ପ୍ରତି ପ୍ରାୟ ୨୫୦ କିଲୋମିଟର ବେଗର ପବନ ବୋହିବା ସହ ବିପର୍ଯ୍ୟୟର ତାଣ୍ଡବ ରଚିଛି ଏହି ସାମୁଦ୍ରିକ ଝଡ଼ । ବର୍ତମାନ ସୁଦ୍ଧା ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ହଜାର ଲୋକ ଏବେ ବାତ୍ୟାର କବଳରେ ଫଶି ରହିଛନ୍ତି ।

ବାହାମାସକୁ ମାଡ଼ି ଆସିଛି ବଡ଼ ବିପଦ । ଡରାଉଛି ସାମୁଦ୍ରିକ ଝଡ଼ ଡୋରିଆନ୍ । ଦେହ ଥରାଇଦେଲା ଭଳି ଗୋଟିଏ ପରେ ଗୋଟିଏ ଚିତ୍ର ଆସିବାରେ ଲାଗିଛି । ଜନବସତିକୁ ମାଡ଼ି ଆସିଛି ଜୁଆର । ପାଣି ଘେରରେ ଫଶି ରହିଛନ୍ତି ହଜାର ହଜାର ଲୋକ । ଏତେ ଜୋରରେ ପବନ ବୋହୁଛି ଯେ, ଆଖି ପିଛୁଳାକେ ସବୁ କିଛି ଛାରଖାର ହୋଇଯାଉଛି । ବାତ୍ୟା, ବନ୍ୟା ଓ ପବନର ମାଡ଼ରେ ବିଶେଷ ଭାବରେ ପ୍ରଭାବିତ ହୋଇଛି ଆବକୋ ଏବଂ ଗ୍ରାଣ୍ଡ ବାହାମାସ୍ ।

ଅର୍ନ୍ତଜାତୀୟ ଗଣମାଧ୍ୟମ ଗାଡିଆନର ରିପୋର୍ଟ ଅନୁସାରେ, ଆଜି ସକାଳେ ଆହୁରି ଉଗ୍ରରୂପ ନେଇଛି ସାମୁଦ୍ରିକ ଝଡ଼ ଡୋରିଆନ୍ । ଜଳସ୍ତର ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ସହ ଜଳବନ୍ଦୀ ପାଲଟି ଯାଇଛନ୍ତି ସହରବାସିନ୍ଦା । ସ୍ଥିତି ଏମିତି ରହିଛି ଯେ, ଲୋକଙ୍କ ସହ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଘଂଟା ପ୍ରତି ୨୫୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଗ୍ରାଣ୍ଡ ବାହାମାସ୍ ବିମାନବନ୍ଦରରେ ୬ଫୁଟ୍ ଉଚ୍ଚରେ ପାଣି ଜମି ରହିଛି ।

ଲୋକମାନେ ଉଦ୍ଧାର କରିବା ପାଇଁ ବାରମ୍ବାର ନିବେଦନ କରୁଥିବାର ଖବର ଆସିଛି । ସ୍ଥାନୀୟ ଏକ ରେଡିଓ ଷ୍ଟେସନକୁ ପ୍ରାୟ ୨ ହଜାର ଲୋକ ଫୋନ୍ କିମ୍ବା ମେସେଜ୍ କରି ଉଦ୍ଧାର କରିବା ପାଇଁ ନିବେଦନ କରିଥିବା ସୂଚନା ମିଳିଛି । କିଛି ସ୍ଥାନରେ ସମୁଦ୍ରପତନଠାରୁ ପ୍ରାୟ ୪୦ ଫୁଟ୍ ଉଚ୍ଚଯାଏଁ ଜୁଆର ମାଡ଼ି ଆସିଥିବାର ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରିଛନ୍ତି । ଆବାକୋ ଏବଂ ଗ୍ରାଣ୍ଡ ବାହାମାସରେ ପ୍ରାୟ ୭୦ ହଜାର ଲୋକ ଏବେ ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ୫ଜଣଙ୍କ ମୃତ୍ୟୁ ହୋଇଛି ।