ଚିଠି ମୋର ଆସିଲାନି, ଆସିବାର ଥିଲା । ଡାକବାଲା ଏମିତି କେମିତି ହେଲା, ଜାଣିବା ପାଇଁ ପଢନ୍ତୁ ପୂରା ଘଟଣା

51

କନକ ବ୍ୟୁରୋ : ଅନେକ ଲୋକଙ୍କ ଭବିଷ୍ୟତର ବାଟ ପୋଷ୍ଟଅଫିସରୁ ହିଁ ଲମ୍ବିଥାଏ । ଚାକିରି ଆଶାୟୀଙ୍କ ନିଯୁକ୍ତି ପତ୍ର ଆସିଥାଏ, କଲେଜରୁ ଇଂଟିମେସନ କାର୍ଡ ମଧ୍ୟ ଆସିଥାଏ ଏହି ଡାକଘର ଜରିଆରେ । ଆଧାର କାର୍ଡ, ପାନ୍ କାର୍ଡ ଭଳି ଜରୁରୀ ପତ୍ର ଆସିବାର ମାଧ୍ୟମ ମଧ୍ୟ ସେହି ଡାକଘର । ଯଦି ସେହି ଡାକଘର ଅଳିଆ ଗଦାରେ ଏହି ସବୁ ଚିଠି ରହିଯାଏ, ତେବେ ଅନୁମାନ କରିପାରୁଥିବେ କ’ଣ ହେବ ସ୍ଥିତି । ଭଦ୍ରକ ଓଡ଼ଙ୍ଗ ପୋଷ୍ଟ ଅଫିସରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ୧୧ ବର୍ଷରେ ଶହ ଶହ ଚିଠିକୁ ଲୋକଙ୍କୁ ନଦେଇ ଅଳିଆଗଦାରେ ଫିଙ୍ଗି ଦେଇଛନ୍ତି ପୋଷ୍ଟମାଷ୍ଟର ।

ଡାକଘର ଅଳିଆଗଦା ଭିତରେ ରହିଛି ଅନେକ ଲୋକଙ୍କ ଜୀବନର ଦସ୍ତାବିଜ । ଲୋକଙ୍କ ଭାଗ୍ୟ ଭବିଷ୍ୟତ ନିର୍ଦ୍ଧାରଣ କରୁଥିବା କାଗଜପତ୍ର ବି ଅଳିଆ ପାଲଟିଯାଇଛି, କାରଣ ଡାକବାଲା ୧୧ ବର୍ଷ ଧରି କାହାରିକୁ ଚିଠି ଦେଇନାହିଁ । ସବୁଗୁଡିକ ଫିଙ୍ଗିଦେଇଛି ଡଷ୍ଟବିନରେ । ଆଉ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଓଡ଼ଙ୍ଗ ଗାଁରେ ଥିବା ପୋଷ୍ଟ ଅଫିସରେ । ୧୧ ବର୍ଷ ଧରି ସରକାରଙ୍କ ଠାରୁ ଦରମା ନେଉଥିଲେ, ହେଲେ ଚିଠି ବାଣ୍ଟୁନଥିଲେ ପୋଷ୍ଟମାଷ୍ଟର । ତେବେ ଚିଠି ଗଦା ହୋଇଯିବାରୁ ଡାକଘର ପରିସରରେ ଫିଙ୍ଗିଦେଇଥିଲେ ପୋଷ୍ଟମାଷ୍ଟର ଜଗନ୍ନାଥ ପୁହାଣ । ଏହା ପରେ ହିଁ ସତ ପଦାକୁ ଆସିଥିଲା ।

ଏହି ଚିଠି ମଧ୍ୟରେ ରହିଛି ଅତି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପତ୍ର, ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପତ୍ର, କାହାର ବୀମା ବଣ୍ଡ୍ ତ କାହାର ଆଧାର କାର୍ଡ ଓ ପାନ କାର୍ଡ ଭଳି ଜରୁରୀ ପାର୍ସଲ । ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କ ଗାଁ ହୋଇଥିବାରୁ ସାଂସଦଙ୍କ ନିକଟକୁ ଆସିଥିବା ଶହ ଶହ ଚିଠି ମଧ୍ୟ ପଡିରହିଛି ଅଳିଆ ଗଦାରେ । ନିଜେ ପୋଷ୍ଟମାଷ୍ଟର ତାଙ୍କ ଦୋଷ ସ୍ୱୀକାର କରିଛନ୍ତି । ଆଉ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ପୋଷ୍ଟମାଷ୍ଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ । ଆଜିର ଦିନରେ ଚିଠିର ଚାହିଦା କମିଯାଇଛି ସତ, ହେଲେ ଆଜି ବି ସରକାରୀ କାଗଜପତ୍ରର ଦିଆନିଆ ମାଧ୍ୟମ ରହିଛି ପୋଷ୍ଟ ଅଫିସ । ମାତ୍ର ଅନେକ ଲୋକଙ୍କ ଭବିଷ୍ୟତ ବନ୍ଧା ପଡ଼ିଯାଇଛି ଜଣେ ପୋଷ୍ଟ ମାଷ୍ଟରର ବେପରୁଆ ମନୋଭାବ ଯୋଗୁଁ ।