ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା । ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା । ପୁରସ୍କାର ଘୋଷଣା କଲା କମିସନରେଟ୍ ପୋଲିସ ।

261

କନକ ବ୍ୟୁରୋ: ଚନ୍ଦକା-ଦାସପୁର ରାସ୍ତାକଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା । ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସକୁ ସାହାଯ୍ୟ  କଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର । ଏଥିସହିତ ଏହି କାମରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କର ପରିଚୟ ମଧ୍ୟ ଗୋପନ ରଖାଯିବ ବୋଲି ଶନିବାର କମିସନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଗତ ୪ ତାରିଖରେ ଚନ୍ଦକା-ଦାସପୁର ଅଞ୍ଚଳରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ଯାହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କୁହାଯାଇଥିଲା । ତେବେ ମହିଳା ଜଣକ କିଏ ଏବଂ ସେ କେଉଁଠାରୁ ଆସିଛନ୍ତି ତା ଏଯାଏଁ ପୋଲିସ ପତ୍ତା ଲଗାଇପାରିନି । ତେଣୁ ପୋଲିସ ପକ୍ଷରୁ ଏଭଳି ପୁରସ୍କାର ଘୋଷଣା କରାଯାଇଛି । ଅନ୍ୟପଟେ ପୋଲିସ ଏହି ମହିଳାଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ଲଗାଇଛି । ଏଥିରେ ତାଙ୍କ ହାତରେ ଥିବା ଏକ ଟାଟୁର ଚିହ୍ନ ଥିବା ସହିତ କିଛି କପଡାର ଫଟୋ ରହିଛି । ଯଦି କେହି ବ୍ୟକ୍ତି ଏହି ମହିଳାଙ୍କୁ ଚିହ୍ନଟ କରେ ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ କୁହାଯାଇଛି ।

ପୋଷ୍ଟ ମୋର୍ଟମ ରିପୋର୍ଟରେ କୁହାଯାଇଛି ଯେ, ମହିଳା ଜଣଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି । ତଣ୍ଟି ଚିପିବା କାରଣରୁ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ତାଙ୍କ ମୁଣ୍ଡକୁ କାଟି ନିଆଯାଇଛି । ମହିଳାଙ୍କ ଉଚ୍ଚତା ୫ ଫୁଟ୍ ୩ ଇଞ୍ଚ ଥିବାବେଳେ ତାଙ୍କର ବୟସ ପାଖପାଖି ୩୦ରୁ ୩୫ ବର୍ଷ ହେବ । ଏହାସହ ତାଙ୍କ ଡାହାଣ ହାତରେ ଏକ ତ୍ରିଶୁଳ ଚିତା ରହିଛି ।