କନକ ବ୍ୟୁରୋ: ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଛନ୍ତି ପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ୫୮ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି । ଅଗଷ୍ଟ ୧୦ ତାରିଖରେ ହୃଦଘାତ ପରେ ଦିଲ୍ଲୀ ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ୪୨ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ରାଜୁ । ଆସନ୍ତାକାଲି ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ସୂଚନା ରହିଛି ।

Advertisment

ରାଜୁ ଶ୍ରୀବାସ୍ତବ । ଏ ଶବ୍ଦ, ଏ ନାଁ, ଏ ଚେହେରା କଥା ମନେ ପକାଇଦେଲେ ମୁହଁରେ ଆପେ ଆପେ ହସ ଆସିଯାଏ । ଆଉ ଯଦି ତାଙ୍କ ପାଟିରୁ କଥା ବାହାରିଯାଏ ତେବେ କଥା କିଛି ଅଲଗା ହୋଇଯାଏ । ସମସ୍ତଙ୍କୁ ହସାଉଥିବା ରାଜୁ ଆଜି ସମସ୍ତଙ୍କୁ କନ୍ଦାଇଦେଇ ଚାଲିିଯାଇଛନ୍ତି । ତାଙ୍କ ମିମିକ୍ରି , ତାଙ୍କ ଡାଇଲଗ୍, ତାଙ୍କ ହାସ୍ୟକଳା ସମସ୍ତଙ୍କ କାନରେ ପ୍ରତିଧ୍ୱନିତ ହେଉଛି । ୪୨ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ରାଜୁ । ଦିଲ୍ଲୀ ଏମସ ତରଫରୁ ସକାଳ ୧୦.୨୦ରେ ତାଙ୍କୁ ମୃତ ଘୋଷଣା କରାଗଲା । ତାପରେ ସାରା ଦେଶରେ ହସର ବେତାଜ୍ ବାଦଶାହାଙ୍କ ପାଇଁ ଶୋକର ଛାୟା ଖେଳିଗଲା ।

ବାପା ମା’ ପୁଅ ଆଇପିଏସ ଅଫିସର ହେଉ ବୋଲି ଚିନ୍ତା କରିଥିଲେ କିନ୍ତୁ କମେଡି ତାଙ୍କୁ ମାୟାନଗରୀ ଆଡକୁ ଟାଣି ଆଣିଥିଲା । ୫୦ ଟଙ୍କାରୁ କ୍ୟାରିୟର ଆରମ୍ଭ କରିଥିବା ରାଜୁ ପାଲଟିଗଲେ ବଲିଉଡର ଗେଲହା ହାସ୍ୟ ଅଭିନେତା । ମୈନେ ପ୍ୟାର କିଆରୁ ଅଭିନୟ ଜୀବନ ଆରମ୍ଭ କଲେ ,ବମ୍ବେ ଟୁ ଗୋଆ ତାଙ୍କୁ ପରିଚୟ ଦେଲା ଆଉ କପିଲ୍ ଶର୍ମାଙ୍କ ସହ ଶେଷ ଫିଲ୍ମ ଫିରଙ୍ଗୀରେ ଦେଖିବାକୁ ମିଳିଥିଲେ ରାଜୁ । ଷ୍ଟାଣ୍ଡ ଅଫ କମେଡି ସହ ସାଧାରଣ ଲୋକଙ୍କ ଶୈଳୀକୁ ନେଇ କମେଡି ତାଙ୍କୁ ଆହୁରି ପରିଚିତ କରାଇଥିଲ।। ଆଜି ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅନେକ ନେତା ତଥା ବଲିଉଡ୍ ଜଗତର ଅନେକ କଳାକାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଉ ଗୋଟିଏ ରାଜୁ କେବେ ଜନ୍ମ ନେବନି ବୋଲି କହିଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି । ରାଜୁ କେବଳ ଫିଲ୍ମ ,କମେଡି ନୁହେଁ ରାଜନୀତିରେ ମଧ୍ୟ ନିଜ ପାଦ ରଖିଥିଲେ । କାନପୁରରେ ଜନ୍ମ ହୋଇଥିବା ରାଜୁଙ୍କୁ ଆଜି ୟୁପି ବିଧାନସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ନିଜ ଜିମରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ହୃଦଘାତର ଶିକାର ହୋଇଥିଲେ ୫୮ ବର୍ଷିୟ ରାଜୁ । ସ୍ୱାସ୍ଥ୍ୟ ଅବସ୍ଥା ଏତେ ଗୁରୁତର ହୋଇଥିଲା ଯେ ତାଙ୍କୁ ଦିଲ୍ଲୀ ଏମସରେ ଆଡମିଟ୍ କରାଯାଇଥିଲା । ମଝିରେ ମଝିରେ ତାଙ୍କ ସ୍ୱାସ୍ଥ୍ୟ ଖବର ଆସୁଥିବାବେଳେ ସମସ୍ତେ ତାଙ୍କ ଶରୀରର ଉନ୍ନତି ପାଇଁ ପ୍ରାର୍ଥନା କରୁଥିଲେ । କିନ୍ତୁ ଆଜିର ଖବର ତାଙ୍କ ଫ୍ୟାନମାନଙ୍କ ଆଖିକୁ ଓଦା କରିଦେଇଛି ।