କନକ ବ୍ୟୁରୋ : ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଦଙ୍ଗାକାରୀ । ମଣିପୁରର କାକଚିଙ୍ଗ ଜିଲ୍ଲାର ଏଭଳି ଅଭାବନୀୟ ଘଟଣା ଘଟିଛି । ୮୦ ବର୍ଷୀୟା ମହିଳାଙ୍କୁ ଘର ଭିତରେ ବନ୍ଦ କରି ବାହାରୁ ନିଆଁ ଲଗାଇ ଦେଇଛନ୍ତି । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

Advertisment

ଉକ୍ତ ୮୦ ବର୍ଷୀୟା ମହିଳାଙ୍କ ନାଁ ଇବେତୋମ୍ବି । ତ‌ାଙ୍କ ସ୍ବାମୀଙ୍କ ନାଁ ଏସ୍‌ ଚୁରାଚାନ୍ଦ ସିଂହ। ‌ସେ ଜଣେ ସ୍ବାଧୀନତା ସଂଗ୍ରାମୀ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦ୍ବାରା ସେ ପୁରସ୍କୃତ ‌ହୋଇଥିଲେ । କିନ୍ତୁ ତାଙ୍କ ପତ୍ନୀଙ୍କର ହିଂସାରେ ମୃତ୍ୟୁ ହୋଇଗଲା । ମେ’ ୨୮ ତାରିଖରେ ଏହି ଘଟଣା ଘଟିଥିଲା। ମେ’ ୨୮ରେ ସେରୋଉ‌ରେ ପ୍ରବଳ ହିଂସା‌ ଉପୁଜିଥିଲା । ଏହା ସର୍ବାଧିକ ହିଂସା ପ୍ରବଣ ଅଞ୍ଚଳ ।

ଇବେତୋମ୍ବିଙ୍କ ନାତି ୨୨ ବର୍ଷୀୟ ପ୍ରେମକାନ୍ତ କହିଛନ୍ତି, ଅତି ନିକଟରୁ ସେ ମୃତ୍ୟୁକୁ ଦେଖିଛନ୍ତି । ତାଙ୍କ ଘର ଉପରେ ହଠାତ କିଛି ଲୋକ ଆସି ଆକ୍ରମଣ କରି ଗୁଳି ଚଳାଇଥିଲେ । ତାଙ୍କ ଗୋଡ଼ ଏବଂ ହାତରେ ମଧ୍ୟ ଗୁଳି ବାଜିଥିଲା । ତାଙ୍କ ଜେଜେମା’ ଠିକ୍‌ରେ ଚାଲି ପାରୁନଥିବାରୁ ସେ ତାଙ୍କ ଜେଜେମା’ଙ୍କୁ ଘରୁ ବାହାର କରିବାପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହି ସମୟରେ ତାଙ୍କ ଜେଜେ ମା’ କହିଥିଲେ, ଏବେ ତୁମେମାନେ ପଳାଅ, ପରେ ମତେ ଆସି ଏଠାରୁ ନେବ । କିନ୍ତୁ ସେମାନେ ଫେରିବା ବେଳକୁ ସେମାନଙ୍କ ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଜେଜେମା’ଙ୍କୁ ସେ ବଞ୍ଚାଇ ପାରିନଥିବା କହିଛନ୍ତି । ସେରୋଉ ଥାନାରେ ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ।