‘ପୁନଶ୍ଚ ପୃଥିବୀ’-ପରିବେଶବିତଙ୍କ ଆହ୍ୱାନ: କଥାରେ ନୁହେଁ କାମରେ ଦେଖାଇବା । ଲୋକଙ୍କୁ ସଚେତନ କରାଇ ପୃଥିବୀକୁ ସୁରକ୍ଷିତ ରଖିବା ।

131

କନକ ବ୍ୟୁରୋ: ତାପମାତ୍ରା ବୃଦ୍ଧି ଉଭୟ ଧନୀ ଓ ଗରିବ ଲୋକଙ୍କ ପାଇଁ ଅତି ସାଂଘାତିକ । ତେଣୁ ପାଶ୍ଚାତ୍ୟ ଦେଶ ଗୁଡିକୁ ଏବେ ଆଗକୁ ଆସିବାକୁ ପଡିବ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ତୁରନ୍ତ କାର୍ଯ୍ୟ କରିବାକୁ ପଡିବ । ସମ୍ବାଦ ଡିଜିଟାଲର ଲୋକାର୍ପଣ ଏବଂ ‘ପୁନଶ୍ଚ ପୃଥିବୀ’ ଅଭିଯାନରେ ଯୋଗଦେଇ ଏଭଳି ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଛନ୍ତି ବିଶିଷ୍ଟ ପରିବେଶବିତ୍ ପଦ୍ମଶ୍ରୀ ସୁନୀତା ନାରାୟଣ ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ପୂରା ବିଶ୍ୱ ଦେଖୁଛି । ଜଳବାୟୁ ପରିବର୍ତ୍ତନ ଓଡ଼ିଶା ପାଇଁ ସବୁଠୁ ବଡ ସତର୍କ ଘଣ୍ଟି । ଯାହାର ଉଦାହରଣ ହେଉଛି ଓଡ଼ିଶା ଓ ପଶ୍ଚିମବଙ୍ଗ ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହେଉଥିବା ରାଜ୍ୟ । କିନ୍ତୁ ଜଳ ପରିଚାଳନା ଓ ବ୍ୟବହାର ସଠିକ୍ ଢଙ୍ଗରେ କରାନଯିବା ବେଶ ଦୁଃଖଦାୟକ ତେଣୁ ଏହାର ମୁକାବିଲା ଅତି ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ ଏକ ପ୍ରାକୃତିକ ପ୍ରକ୍ରିୟା । ହେଲେ ଆମେ ଯଦି ଜଳ ଏବଂ ମାଟିର ଦୂରୁପଯୋଗ କରିବା ତାର ପରିଣାମ ଆମକୁ ହିଁ ଭୋଗିବାକୁ ପଡ଼ିବ । ଯାହା ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ସୁନୀତା ନାରାୟଣ ।

ପୃଥିବୀର ସୁନ୍ଦରତା ଏବଂ ଏହାର ସୁରକ୍ଷା ପାଇଁ ଆମକୁ ଏକ ଦୀର୍ଘମିଆଦି ଯୋଜନା କରିବାର ଆବଶ୍ୟକ ରହୁଛି । ଆମେ ବହୁତ କଥା କହୁଛେ କିନ୍ତୁ ତାହାକୁ କାର୍ଯ୍ୟକାରୀ କରୁନେ । ପ୍ରାକୃତିକ ବିପର୍ଯ୍ୟୟ କ’ଣ ଓଡ଼ିଶା ଭଳି ରାଜ୍ୟଠୁ ଭଲଭାବେ କେହି ଅନୁଭବ କରିପାରିବେନି । ବାରମ୍ବାର ବାତ୍ୟାକୁ ସାମ୍ନା କରୁଥିବା ରାଜ୍ୟଭାବେ ବେଶ୍ ଅନୁଭବୀ ହେଉଛି ଓଡ଼ିଶା । ତେବେ ତନୟାଙ୍କ ଏଭଳି ଉଦ୍ୟମକୁ ମୁଁ ପ୍ରଶଂସା କରୁଛି । ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏମିତି ପଦକ୍ଷେପ ଅତ୍ୟନ୍ତ ଗ୍ରହଣୀୟ । ‘ପୁନଶ୍ଚ ପୃଥିବୀ’ ଅଭିଯାନର ପରିକଳ୍ପନାକୁ ବାସ୍ତବତାର ରୂପ ଦେବାକୁ ଆମେ ସଂକଳ୍ପ ନେବା ବୋଲି ସମ୍ବାଦ ଡିଜିଟାଲର ଲୋକାର୍ପଣ ଉତ୍ସବରେ ଯୋଗଦେଇ କହିଛନ୍ତି ପଦ୍ମଶ୍ରୀ ସୁନୀତା ନାରାୟଣ ।