ଉତ୍ତରାଖଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍, ଏହି ନେତାଙ୍କ ନେତୃତ୍ୱରେ ଆପ୍ ଲଢିବ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ

141

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ବିଜେପିର ବିକଳ୍ପ ଭାବେ ଉଭା ହେବାକୁ ଯାଉଛି ଆମ୍ ଆଦମୀ ପାର୍ଟି , ପଞ୍ଜାବରେ ପାର୍ଟିକୁ ଭଲ ଭୋଟ ମିଳିବା ପରେ ଏବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଉପରେ ଫୋକସ କରିଛି ପାର୍ଟି । ଉତ୍ତରପ୍ରଦେଶରେ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂ ନେତୃତ୍ୱ ନେଉଥିବା ବେଳେ ଏବେ ଉତ୍ତରାଖଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆପ୍ ।

ଉତ୍ତରାଖଣ୍ଡରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଆଜି ବଡ ଘୋଷଣା କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କର୍ଣ୍ଣଲ ଅଜୟ କୋଠିୟାଲଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ସେପଟେ ଆପ୍ ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବା ପରେ ଅଜୟ କୋଠିୟାଲ କହିଛନ୍ତି କି “ଏହା ମୋ ପାଇଁ ଗର୍ବର ଦିନ, ମୋତେ ଦଳ ତରଫରୁ ଏକ ବଡ ଦାୟିତ୍ୱ ମିଳିଛି, ମୁଁ ଜୀବନରେ ବହୁ ଚ୍ୟାଲେଞ୍ଜକୁ ସାମ୍ନା କରି ଲଢେଇ ଲଢିଛି, ମୋତେ ରାଜନୀତି ଆସେ ନାହିଁ, ମାତ୍ର କେଦାରନାଥ ଦୁର୍ଘଟଣା ମୋତେ ବହୁତ କିଛି ଶିଖାଇ ଦେଇଛି । ”

କହିରଖୁ କି ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରକୁ ନେଇ ଆପ୍ ରାଜନୀତି ଆରମ୍ଭ କରିଥିଲା । ଏହାକୁ କାର୍ଯ୍ୟକାରୀ କରି ଦଳ ଦିଲ୍ଲୀରେ ଦ୍ୱିତୀୟଥର ପାଇଁ କ୍ଷମତା ହାସଲ କରିଛି । ଏହାସହ ମଣିଷର ମୌଳିକ ଆବଶ୍ୟକତା ପାଲଟିଥିବା ବିଜୁଳି ଶକ୍ତିକୁ ଲୋକଙ୍କୁ ମାଗଣାରେ ବାଣ୍ଟି ଦେଶ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ଆପ୍ । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ମାଗଣା ବିଜୂୁଳି ଭଳି ମୁଦ୍ଦାକୁ ନେଇ ଏବେ ସାରା ଦେଶରେ ଅରବିନ୍ଦ କେଜ୍ରିୱାଲ ନିଜ ପାଇଁ ଓ ଦଳ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।