କେଉଁ କଲେଜକୁ ଅଧିକ ପସନ୍ଦ କରୁଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ! ଆପଣଙ୍କ ମତରେ ସରକାରୀ କଲେଜର କଟ ଅଫ୍ ମାର୍କ କମିବା ପଛରେ କାରଣ କଣ

78

କନକ ବ୍ୟୁରୋ : ଚଳିତ ବର୍ଷ ଯୁକ୍ତ ୨ ନାମଲେଖା ପାଇଁ ବିଭିନ୍ନ କଲେଜର ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜ ଆଗରେ ଥିବା ବେଳେ ବାଣିଜ୍ୟରେ ତାଲିକାର ଶୀର୍ଷରେ ରହିଛି ବିଜେବି ଜୁନିଅର କଲେଜ । ଅନ୍ୟପଟେ କଳା ପାଇଁ କଟ୍ ଅଫ୍ ମାର୍କ ତାଲିକାର ଆଗରେ ରହିଛି କେନ୍ଦୁଝର ଘଷିପୁରାର ପତିତପାବନ କଲେଜ । ତେବେ କ୍ରମାଗତ ଭାବେ ରାଜ୍ୟର ପ୍ରମୁଖ କଲେଜ ଗୁଡିକର କଟ୍ ଅଫ୍ ମାର୍କ କମି କମି ଚାଲିବା ଏବେ ଚର୍ଚାର ପ୍ରସଙ୍ଗ ହୋଇଛି ।

ରାଜ୍ୟର ଦୁଇ ପ୍ରମୁଖ ମହାବିଦ୍ୟାଳୟ ବିଜେବି ଜୁନିଅର କଲେଜ ଓ ରେଭେନ୍ସା ଜୁନିଅର କଲେଜର କଟଅଫ୍ ମାର୍କ ପୂର୍ବ ବର୍ଷରୁ କମିଛି । ବିଜ୍ଞାନରେ ବିଜେବି ଜୁନିଅର କଲେଜରେ ଚଳିତ ବର୍ଷ ପାଇଁ ୮୮.୩୩ ପ୍ରତିଶତ ରଖାଯାଇଥିବା ବେଳେ ୨୦୧୭ରେ ଏହା ଥିଲା ୯୨.୬୭ ପ୍ରତିଶତ ଏବଂ ୨୦୧୬ରେ ଏହି କଟଅଫ୍ ମାର୍କ ଥିଲା ୯୩.୧ ପ୍ରତିଶତ । ସେହିପରି ରେଭେନ୍ସା ଜୁନିଅର କଲେଜର ମଧ୍ୟ କଟଅଫ୍ ମାର୍କ କମି କମି ଚାଲିଛି । ଚଳିତ ବର୍ଷ ବିଜ୍ଞାନରେ ୮୮.୮୩ ପ୍ରତିଶତ ଥିବା ବେଳେ ୨୦୧୭ରେ ଏହା ଥିଲା ୯୩.୧୭ ପ୍ରତିଶତ ।

ଚଳିତ ବର୍ଷ ବିଜ୍ଞାନ ପାଇଁ କଟ୍ ଅଫ୍ ମାର୍କର ଟପରେ ରେଭେନ୍ସା ଜୁନିଅର କଲେଜ ଥିବା ବେଳେ କଳାରେ କେନ୍ଦୁଝର ଘଷିପୁରାର ପତିତପାବନ କଲେଜ ୭୮.୬୭ ପ୍ରତିଶତ ସହ ଆଗରେ ରହିଛି । ସେହିପରି ବାଣିଜ୍ୟରେ ୭୮.୨ ପ୍ରତିଶତ ସହ ବିଜେବି ଜୁନିଅର କଲେଜ ଆଗରେ ରହିଛି । ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଜ୍ଞାନ ପାଇଁ କଟ୍ ଅଫ୍ ମାର୍କ ୮୮ ପ୍ରତିଶତ ରହିବା ସହ ତାଲିକାର ତୃତୀୟ ସ୍ଥାନରେ ରହିଛି ।

ସରକାରୀ କଲେଜ ଗୁଡିକର କଟଅଫ୍ ମାର୍କ କମିବା ପଛରେ ଘରୋଇ କଲେଜ ପ୍ରତି ପିଲା ଓ ଅଭିଭାବକଙ୍କ ଆଗ୍ରହ ଦାୟୀ ବୋଲି କୁହାଯାଉଛି । ସେହିପରି ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି କମି ଚାଲିଛି । ଏହି ପରିସ୍ଥିତି ସରକାରୀ କଲେଜର ଶିକ୍ଷାର ମାନ ଉପରେ ପରୋକ୍ଷରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।