ବିଜେବି କଲେଜରେ ହେବନି ଛାତ୍ର ସଂସଦ ନିର୍ବାଚନ ! କ୍ୟାମ୍ପସରେ ଉତ୍ତେଜନା ଯୋଗୁଁ ସାଇନ-ଏ-ଡାଏ ଘୋଷଣା

30

bjbକନକ ବ୍ୟୁରୋ : ଛାତ୍ର ଅଶାନ୍ତି କାରଣରୁ ବିଜେବି କଲେଜ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ଛାତ୍ରୀନିବାସ ଉପରେ ଘନ ଘନ ବୋମାମାଡ ହେବା ପରେ କଲେଜ କର୍ତୃପକ୍ଷ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ରାତିରେ ବସିଥିବା କଲେଜ ଅଧ୍ୟାପକ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ-ଏ-ଡାଏ ଘୋଷଣା କରାଯାଇଛି ।

ଆଜି ସନ୍ଧ୍ୟାସୁଦ୍ଧା କଲେଜ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘୋଷଣାରେ କ୍ଷୁବ୍ଧ ଛାତ୍ରଛାତ୍ରୀ ରାତିରେ ରାସ୍ତା ଅବରୋଧ କରିବା ସହିତ ଭଙ୍ଗାରୁଜା କରିଛନ୍ତି । କଲେଜ ଅଧ୍ୟକ୍ଷ କହିଛନ୍ତି , ପୋଲିସ ହାତ ଟେକିଦେବାରୁ ଆମେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ସାଇନ-ଏ-ଡାଏ ପ୍ରତିବାଦରେ ଆଜି ଛାତ୍ରମାନେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସାଇନ-ଏ-ଡାଏ ଘୋଷଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରାର୍ଥୀ । ଗତକାଲି ସକାଳେ ସବୁ ଠିକଠାକ ଥିଲା । କଲେଜ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ଦିନରେ ନିର୍ବାଚନକୁ ନେଇ ୨ ଛାଚ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଅପରାହ୍ନରେ ବସିଥିବା ଅଧ୍ୟାପକ ପରିଷଦ ବୈଠକରେ ଭୋଟ ପାଇଁ ନିଷ୍ପତି ହୋଇଥିଲା । ତା ସତ୍ୱେ ହଠାତ ନିର୍ବାଚନ ବନ୍ଦ ସହ ସାଇନ-ଏ-ଡାଏ ଘୋଷଣା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

କେବଳ ରାଜଧାନୀର ବିଜେବି କଲେଜ ନୁହେଁ ମହର୍ଷି କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଲେଜ କ୍ୟାମ୍ପସରେ ଫୁଟିଥିଲା ବୋମା । ବୋମା ମାଡ଼ ପରେ ଭୟଭୀତ ହୋଇ ପଡିଥିଲେ ଛାତ୍ର ଛାତ୍ରୀ । ଦୁଇଟି ବୋମା ଫିଙ୍ଗା ଯାଇଥିବା ବେଳେ ଗୋଟିଏ ବୋମା ଫୁଟିନଥିଲା । ଆଜି ନାମାଙ୍କନ ଥିବା ବେଳେ ଆଗକୁ ସ୍ଥିତି ଆହୁରି ସଂଗୀନ ହେବା ନେଇ ଆଶଙ୍କା କରାଯାଉଛି । ସେହିଭଳି ଛାତ୍ରସଂସଦ ନିର୍ବାଚନକୁ ନେଇ ସରଗରମ ହୋଇ ବାଣୀବିହାର କ୍ୟାମ୍ପସ । ପୋଷ୍ଟର ବ୍ୟାନରରେ ବିଶ୍ୱ ବିଦ୍ୟାଳୟ ଛାଇଯାଇଛି ।

ଏହାରି ଭିତରେ କିନ୍ତୁ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି । ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରାର୍ଥୀଙ୍କୁ ମାଡ ଅଭିଯୋଗ ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି । ସେହିପରି ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚାର ବେଳେ ଜଣେ ଛାତ୍ରୀଙ୍କ ଉପରେ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଠାରେ ବଡ ପ୍ରଶ୍ନ ଉଠୁଛି, କ୍ୟାମ୍ପସରେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି ହେଉଛି କାହିଁକି । କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପ ରହୁଛି କି ? ଲିଙ୍ଗଡୋ କମିଶନଙ୍କ ନିୟମକୁ ଉଲ୍ଲଙ୍ଘନ କରାଯାଉଛି କି । ନେତା ବାଛିବା ଆଳରେ କ୍ୟାମ୍ପସରେ ବିଶୃଙ୍ଖଳା ସୃଷ୍ଟି କରାଯାଇଛି କାହିଁକି । ନିର୍ବାଚନ ବନ୍ଦ ହୋଇ କଲେଜ ସାଇନ-ଏ-ଡାଏ ହେବା ପଛରେ କର୍ତୃପକ୍ଷଙ୍କ ଅପାରଗତା ନା ଆଉ କିଛି ଦାୟୀ । ବାରମ୍ବାର ବିଶୃଙ୍ଖଳା ହେଉଥିବାରୁ କ୍ୟାମ୍ପସରେ ନିର୍ବାଚନ ହେବା ଉଚିତ କି ।