ନିର୍ବାଚନୀ ବର୍ଷରେ ବଦଳିଲେ ଗଂଜାମ ଜିଲ୍ଲାପାଳ। ରଥ ପରେ ନୂଆ ଦାୟିତ୍ୱ ପାଇଲେ ଅରବିନ୍ଦ ଅଗ୍ରୱାଲ। ବଡ଼ ପ୍ରଶାସନିକ ଅଦଳବଦଳର ପୁରା ତାଲିକା

149

କନକ ବ୍ୟୁରୋ : ନିର୍ବାଚନୀ ବର୍ଷରେ ରାଜ୍ୟ ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ । ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ନବୀନ ସରକାର । ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ଖାସକରି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି । ଗଞ୍ଜାମର ଜିଲ୍ଲାପାଳ ଥିବା ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ କୁଳଙ୍ଗ ବିଜୟ ଅମୃତାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଗଞ୍ଜାମର ଜିଲ୍ଲାପାଳ ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ମିଳିଛି ।

ସେହିଭଳି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ମଧ୍ୟ ବଦଳି କରାଯାଇଛି । ରଥଯାତ୍ରାକୁ ସଫଳତାର ସହ ଶେଷ କରିବା ପରେ ତାଙ୍କୁ ବଦଳି କରାଯାଇଛି । ନବକଳେବର,ସେବାୟତ ବିବାଦ ଓ ରଥଯାତ୍ରାକୁ ସୂଚାରୁ ତୁଲାଇ ଆସିଥିବା ଦୀର୍ଘ ଦିନ ଧରି ପୁରୀର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଓ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁବ୍ୟବହାର ପ୍ରସଙ୍ଗକୁ ନେଇ ବିବାଦୀୟ ହୋଇ ପଡିଥିଲେ ଅରବିନ୍ଦ ଅଗ୍ରୱାଲ । ତେଣୁ ନିର୍ବାଚନ ବର୍ଷରେ ପୁଣିଥରେ ଅରବିନ୍ଦଙ୍କୁ ପୁରୀ ଜିଲ୍ଲାର ଦାୟିତ୍ୱ ଦେଇ ରିସ୍କ ନେବାକୁ ଚାହୁଁନାହାନ୍ତି ରାଜ୍ୟ ସରକାର । ତେଣୁ ତାଙ୍କୁ ପୁରୀରୁ ବଦଳି କରାଯିବା ସହ କଟକର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ୱ ନେବେ ଜ୍ୟୋତି ପ୍ରକାଶ ଦାଶ ।

ସେହିଭଳି ସୋନପୁର ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଦାୟିତ୍ୱ, ବୌଦ୍ଧ ଜିଲ୍ଲାପାଳ ମଧୂସୁଦନ ମିଶ୍ରଙ୍କୁ ସୋନପୁରକୁ ବଦଳି କରାଯାଇଛି । କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କୁ ଶ୍ରମ କମିଶନର ଭାବେ ନୂଆ ଦାୟିତ୍ୱ ମିଳିଛି । ତାଙ୍କ ସ୍ଥାନରେ କଳାହାଣ୍ଡିର ଜିଲ୍ଲାପାଳର ଦାୟିତ୍ୱ ନେବେ ଗାଭଲି ପରାଗ ହର୍ଷଦ । ବିଡିଏର ସଚିବ ଥିବା ସୀତାଂଶୁ କୁମାର ରାଉତଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ୱ ମିଳିଛି ।