ଗତ ୩ବର୍ଷର ରେକର୍ଡ ଭାଙ୍ଗିଲା ଚଳିତ ବର୍ଷର ଶୀତ । ଆହୁରି ୧୦ଦିନ ଜାରିରହିବ ଜାଡ । ୧୪ଟି ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ  

18

କନକ ବ୍ୟୁରୋ : ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା  । ଆହୁରି ବଢିବ ଶୀତ । ଚଳିତ ବର୍ଷ ଶୀତ ଗତ ୩ ବର୍ଷ ଶୀତର ରେକର୍ଡ ଭାଙ୍ଗିଛି ।  ଉତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବା ବଳରେ ଆହୁରି ୧୦ ଦିନ ପ୍ରବଳ ଶୀତ ହେବ । ପ୍ରବଳ ଥଣ୍ଡା ଫଳରେ ଜନଜୀବନ ବେହାଲ ହୋଇଛି । ରାଜ୍ୟର ୧୪ଟି ଜିଲ୍ଲାରେ ତାପମାତ୍ରା  ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩ ଦଶମିକ ୫ ଡିଗ୍ରୀ ସେଲସିୟସ ରହିଛି । ଭୁବନେଶ୍ୱରର ତାପମାତ୍ରା ୧୧ ଡିଗ୍ରୀ ସେଲସିୟୟ ଅଛି ।

ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ଲଗାତାର ଭାବେ ତାପମାତ୍ରା ୪ ଡିଗ୍ରି ତଳେ ରହୁଥିବା ବେଳେ ଆଜି ସମସ୍ତ ସହରର ତାପମାତ୍ରା ୧୪ ଡିଗ୍ରି ତଳକୁ ଖସି ଆସିଛି। ପୁଣିଥରେ ଦାରିଙ୍ଗବାଡ଼ିର ତାପମାତ୍ରା ୩ ଡିଗ୍ରିକୁ ହ୍ରାସ ପାଇଛି। ଫୁଲବାଣୀରେ ପାରଦ ୩.୫ ଡିଗ୍ରିରେ ରହିଛି। କେତେକ ସ୍ଥାନରେ ହାଲକା କୁହୁଡ଼ି ଜାରି ରହିଛି। ଦାରିଙ୍ଗବାଡି, ଜି.ଉଦୟଗିରି, ବେଲଘର ଅଞ୍ଚଳରେ କେତେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳୁଛି। ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ପାଗରେ ସେତେଟା ପରିବର୍ତନ ହେବାର ସମ୍ଭାବନା ନାହିଁ। ଗୋଟିଏ ଦୁଇ ଡିଗ୍ରି ଏପାଖ ସେପାଖ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।