ହାଡ଼ଭଙ୍ଗା ଜାଡ଼ରେ ଥରୁଛି, ସାରା ଓଡ଼ିଶା। ସକାଳେ କୁହୁଡି, ରାତିରେ କମୁଛି ତାପମାତ୍ରା। ପାଣିପାଗ ବିଭାଗର ସତର୍କବାଣୀ, ଆଜିଠୁ ଆହୁରୀ ବଢିବ ଶୀତ

135

କନକ ବ୍ୟୁରୋ:ସନ୍ଧ୍ୟା ହେବା କ୍ଷଣି ଦେହରେ ମାଡ଼ ହେଉଛି ଜାଡ଼। ଥରି ଉଠୁଛି ଶରୀର। କୋହଲା ପବନରେ ଏବେଠୁ ଅସ୍ତବ୍ୟସ୍ତ ହେଲାଣି ସାରାରାଜ୍ୟ। ହାରାହାରି ତା‌ପମାତ୍ରା ୧ରୁ ୩ ଡିଗ୍ରି କମ୍‌ ରହୁଥିବାରୁ ସ୍ଥିତି ଆହୁରି ଜଟିଳ ହେଉଛି। ଥଣ୍ଡାର ପ୍ରକୋପ ବି ବଢ଼ୁଛି। ଶୁକ୍ରବାର ରା‌ତି ପରେ ଜାଡ଼ ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

ବିଶେଷଜ୍ଞଙ୍କ କହିବାନୁସାରେ, ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଗୁଜୁରାଟରେ ତିନି ଦିନ ଧରି ସାଂଘାତିକ ପରିସ୍ଥିତି ଉପୁଜିବ।

ଅନ୍ୟପକ୍ଷରେ ଓଡ଼ିଶା ଉପରେ ଏକ ଟ୍ରପ୍‌ଲାଇନ୍‌ ଥିବାରୁ ତାପମାତ୍ରା ସାମାନ୍ୟ ବଢ଼ିଛି। ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ବି ହୋଇଛି। ଗଜପତି ଜିଲ୍ଲାର ରା.ଉଦୟଗିରି ଓ ମହେନ୍ଦ୍ରଗଡ଼ରେ ୨ ସେମି ଲେଖାଏ ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ବ୍ରହ୍ମପୁର ଓ ଗୋପାଳପୁରରେ ୧ ସେମି ଲେଖାଏ ବର୍ଷା‌ ହୋଇଛି। ପ୍ରଭାବରେ ଆଜି ପୁରୀ, ଖୋର୍ଧା, ନୟାଗଡ଼, କନ୍ଧମାଳ, ଫୁଲବାଣୀ, ବୌଦ୍ଧ ଜିଲ୍ଲାରେ ସକାଳେ ମେଘୁଆ ପାଗ ରହିଥିଲା। ଅପରାହ୍‌ଣ ପର‌୍ୟ୍ୟନ୍ତ ଲୋକେ ଗାଡ଼ି ଧରି ପଦାକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଥିଲା। ତାପମାତ୍ରାରେ ସେଭଳି ଆଖିଦୃଶିଆ ପରିବର୍ତନ ହୋଇନି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ସ୍ବାଭାବିକ ରହିଥିବା କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ‌ଯେ, ଶୁକ୍ରବାର ରାତିରେ ବାଲେଶ୍ବରରୁ ସମ୍ବଲପୁରକୁ ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ତାପମାତ୍ରା କମିବ। ‌ତେବେ ପୁରୀଠାରୁ ଦକ୍ଷିଣରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ଦିନରେ କୋହଲା ପାଗ ହେବା ସହ ରାତିରେ ତାପମାତ୍ରା କମିବ ନାହିଁ। ସେହିପରି ଦକ୍ଷିଣ-ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଶୁକ୍ରବାର ଓ ଶନିବାର ତାପମାତ୍ରାରେ ପରିବର୍ତନ ହେବନି। ଶନିବାର ରାତିର ତାପମାତ୍ରା କେନ୍ଦ୍ରୀୟ ଓ ଉପକୂଳବର୍ତୀ ଓଡ଼ିଶାରେ କମିବ। ଅନୁମାନ କରାଯାଉଛି ଯେ ଏହି ଦୁଇ ଦିନରେ ଭୁବନେଶ୍ବର ତାପମାତ୍ରା ଦେଢ଼ରୁ ଦୁଇ ଡିଗ୍ରି କମିପାରେ। ରବିବାର ରାତି ପରଠାରୁ ତିନି ଦିନ ଧରି କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଏପରିକି ମଙ୍ଗଳବାର ସୁଦ୍ଧା ଦୁଇ ଡିଗ୍ରି ବଢ଼ିପାରେ। ସେହିପରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୪ ଦିନ ଧରି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ଯେପରିକି ଶନିବାର ତୁଳନାରେ ବୁଧବାର ଦିନ ଦୁଇ ଡିଗ୍ରି ବଢ଼ିପାରେ। ଉତ୍ତର ସୀମାନ୍ତବର୍ତ୍ତୀ ଅଞ୍ଚଳ ଯଥା ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ଥଣ୍ଡାରେ ବିଶେଷ ପରିବର୍ତନ ହେବନି ବୋଲି ସେ ପୂର୍ବାନୁମାନ କରିଛନ୍ତି।