କୋବ୍ରାପୋଷ୍ଟର ଚାଂଚଲ୍ୟକର ଷ୍ଟିଂ ଅପରେସନ୍ ! କଳା ଟଙ୍କାରେ ଷ୍ଟାର ପ୍ରଚାର, ଗଣତନ୍ତ୍ରରେ ଆଦର୍ଶକୁ ନେଇ ଉଠିଲା ପ୍ରଶ୍ନ ।
କନକ ବ୍ୟୁରୋ : ନିର୍ବାଚନୀ ବର୍ଷରେ ସାମ୍ନାକୁ ଆସିଛି କୋବ୍ରା ପୋଷ୍ଟର ଏକ ସାଙ୍ଘାତିକ ଷ୍ଟିଙ୍ଗ ଅପରେସନ । ବଲିଉଡ ସେଲିବ୍ରିଟିମାନେ କଳାଟଙ୍କା ନେଇ ବିଭିନ୍ନ ରାଜନୈତିକ ଦଳ ପାଇଁ ପ୍ରଚାର କରିବାକୁ ଅଂଟା ଭିଡିଥିବା ଅଭିଯୋଗ ହୋଇଛି । ବଲିଉଡର ୩୬ଜଣ ସେଲିବ୍ରିଟିଙ୍କ ଉପରେ ଏହି ଷ୍ଟିଙ୍ଗ ଅପରେସନ ହୋଇଥିବା ବେଳେ ଟଙ୍କା ବଦଳରେ ସୋସିଆଲ ମିଡିଆ ଓ ସାମ୍ବାଦିକ ସମ୍ମିଳନୀମାନଙ୍କରେ ବିଭିନ୍ନ ରାଜନୈତିକ ଦଳ ସପକ୍ଷରେ ମତ ରଖି ପରୋକ୍ଷରେ ପ୍ରଚାର କରିବା ପାଇଁ ଡିଲ ହୋଇଥିବା ଅଭିଯୋଗ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କୋବ୍ରାପୋଷ୍ଟ ପକ୍ଷରୁ ବଲିଉଡ ସେଲିବ୍ରିଟିଙ୍କ ଉପରେ ଯେଉଁ ଷ୍ଟିଙ୍ଗ କରାଯାଇଛି ସେଥିରେ ରିପୋର୍ଟର ଜଣକ ନିଜକୁ ପିଆର ଏଜେଂଟ ଭାବେ ପରିଚୟ ଦେଇ କଥାବାର୍ତା କରିଛନ୍ତି । ଆଉ ବଲିଉଡ ସେଲିବ୍ରିଟି ମାନେ ବି ଗଣମାଧ୍ୟମ ପ୍ରତିନିଧିଙ୍କୁ ପିଆର ଏଜେଂଟ ଭାବି କଥା ହୋଇଛନ୍ତି । ଆଉ ଅତି ସହଜରେ ଟଙ୍କା ନେଇ ନିର୍ଦ୍ଦିଷ୍ଟ ଦଳ ପାଇଁ ପ୍ରଚାର କରିବାକୁ ରାଜି ହୋଇ ଯାଇଛନ୍ତି । ସବୁଠାରୁ ବଡ କଥା ହେଲା ଜିଏସଟି ଓ ଟ୍ୟାକ୍ସ ପେମେଂଟ ପାଇଁ କେବଳ ୧୦ରୁ ୨୦ ପ୍ରତିଶତ ଅର୍ଥ କାରବାର ସ୍ୱଚ୍ଛ ଭାବେ କରିବାକୁ ଡିଲ କରାଯାଉଥିବା ବେଳେ ବାକି ତକ କଳାଟଙ୍କା କାରବାର ମାଧ୍ୟମରେ ନଗଦ ଟଙ୍କା ନେଇ ପ୍ରଚାର କରିବାକୁ ରାଜି ହୋଇଯାଉଛନ୍ତି ।
ଅନ୍ୟପଟେ ଏହି ଷ୍ଟିଙ୍ଗ ଅପରେସନର ସତ୍ୟାସତ୍ୟ ଖୋଳତାଡ କରିବା ପାଇଁ ବି ଦାବି ହେଉଛି । ସିଙ୍ଗର କୈଳାସ ଖେର, ମିକ୍କା ସିଂ, ବିବେକ ଓବରାୟ, ସୋନୁ ସୁଦ୍, ଅମିସା ପଟେଲଙ୍କ ଭିଡିଓ ଜାରି କରିଛି କୋବ୍ରା ପୋଷ୍ଟ । ପଇସା ବଦଳରେ ପ୍ରଚାର କରିବା ପାଇଁ ସହମତି ଜଣାଉଥିବା ବଲିଉଡ ସେଲିବ୍ରିଟିଙ୍କ ଏହି ତାଲିକାରେ ପୁନମ ପାଣ୍ଡେ, ସନି ଲିଓନ, ଦୀପଶିଖା ନାଗପାଲ, ପଙ୍କଜ ଧିର, କୋଏନା ମିତ୍ରା, ମିନିଷା ଲାମ୍ବା, ରାଜୁ ଶ୍ରୀବାସ୍ତବ, ଅମିଶା ପଟେଲଙ୍କ ଭଳି ବହୁ ନାମୀଦାମୀ ସେଲିବ୍ରିଟିଙ୍କ ନାଁ ରହିଛି । ଶକ୍ତି କପୁର ମଧ୍ୟ ଏହି ଷ୍ଟିଙ୍ଗରେ ଡିଲ କରୁଥିବା ଅଭିଯୋଗ ହୋଇଛି । ଏମାନେ ସମସ୍ତେ ଟଙ୍କା ନେଇ ପ୍ରଚାର କରିବାକୁ ରାଜି ହୋଇଛନ୍ତି ।