ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା। ପାଣିରେ ବୁଡ଼ିଲା ପାଚିଲା ଧାନ, ଉଜୁଡିଲା ଫସଲ

208

କନକ ବ୍ୟୁରୋ: ବାତ୍ୟା ‘ଜୱାଦ’ର ବିପଦ ହଟିଯାଇଛି କିନ୍ତୁ ଏହା ସତ୍ତେ୍ୱ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଚାଷୀ । ଧାନ ଅମଳ ବେଳେ ବର୍ଷା ପବନ ଫସଲ ଉଜାଡି ଦେଇଛି । ବାତ୍ୟା ଜନିତ ବର୍ଷା, ବ୍ୟାପକ ଫସଲ ନଷ୍ଟ କରିବା ଜାଣି ସୁଦ୍ଧା କିଛି କରିନପାରି ଅସହାୟ ହୋଇପଡିଛନ୍ତି ଚାଷୀକୂଳ ଆଉ ଅମଳ ସମୟରେ ଚାଷୀ ଅସହାୟ ହୋଇ ଫସଲ ନଷ୍ଟ ହେବାକୁ ଦେଖୁଛି କିନ୍ତୁ କିଛି କରିପାରୁ ନାହିଁ ।

ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ପବନ ବହିବା ସହ ଜାରି ରହିଛି ଝିପ ଝିପି ବର୍ଷା । ବର୍ଷା ଓ ପବନ ମାଡରେ ବିଲରେ ପାଚିଲା ଧାନ ଶୋଇ ଯାଇଛି ଆଉ ଚାଷୀ ପାଣିରୁ ଉଠାଉଛି ପାଚିଲା ଧାନ । କେହି କେହି ବିଲରୁ ପାଣି ବାହାର କରି ଧାନ ଅମଳ କରିବାକୁ ଚେଷ୍ଟା କରୁଛନ୍ତି । ବାତ୍ୟା ଜନିତ ବର୍ଷା ବ୍ୟାପକ ଫସଲ ନଷ୍ଟ କରିବା ଜାଣି ସୁଦ୍ଧା କିଛି କରିନପାରି ଅସହାୟ ହୋଇପଡିଛି ଚାଷୀ ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି, ବାଣପୁର ଓ ଚିଲିକା ବ୍ଲକ ବାତ୍ୟାରେ ଅଧିକ ପ୍ରଭାବିତ ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏପଟେ ଶହ ଶହ ହେକ୍ଟର ବିଲରେ ପାଚିଲା ଧାନ ପଡ଼ି ରହିଥିବାରୁ ଚାଷୀଙ୍କୁ ଅମଳ ଚିନ୍ତା ଘାରିଛି । ଖାଲି ସେତିକି ନୁହେଁ ବର୍ଷା ଯୋଗୁଁ କଟକ ଜିଲ୍ଲା ବାଙ୍କୀ ସବଡ଼ିଜନରେ ଥିବା ଏକର ଏକର ଚାଷ ଜମିରେ ପାଣି ଜମି ଯାଇଛି । ପାଚିଲା ଧାନ ଏବେ ପାଣିରେ ବୁଡ଼ି ଥିବାରୁ ବ୍ୟାପକ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ।

ଗୋଟିଏ ରାତିର ବର୍ଷା ପରେ  ଶହ ଶହ ଏକର ଜମିର ପାଚିଲା ଧାନ ବିଲ କାଦୁଅରେ ଶୋଇ ପଡିଛି । ଆଗକୁ ବାତ୍ୟା ଜନିତ ବର୍ଷା, ବ୍ୟାପକ ଫସଲ ନଷ୍ଟ କରିବ ଏଥିରେ କୌଣସି ସନ୍ଦେହ ନାହିଁ । କ୍ଷେତ ପାଣିରେ ବୁଡି ଯାଇଥିବା ଧାନକୁ ଚାଷୀ କେମିତି ଅମଳ କରିବ ଚିନ୍ତା କରିପାରୁ ନାହିଁ ।  ସେପଟେ ବାତ୍ୟାରେ ଫସଲ ନଷ୍ଟ ଭୟରେ କେନ୍ଦୁଝରର ଚାଷୀ ଧାନ ଅମଳ କରିଛି । କିନ୍ତୁ ଖଳା ନଥିବାରୁ ବହୁ ଚାଷୀ କଟା ଧାନକୁ ରାସ୍ତା କଡରେ ଘୋଡେଇ ରଖିଛନ୍ତି । ବାତ୍ୟା ପ୍ରଭାବରେ ଏବେ ବର୍ଷା ହେଉଛି, ଆଗକୁ ବର୍ଷା ପ୍ରବଳ ହେଲେ ଧାନ ଭିଜି ଗଜା ହୋଇଯିବା ଭୟ ଚାଷୀଙ୍କୁ ଘାରିଛି ।

ନିଆଳି ଅଞ୍ଚଳର ଚାଷଜମିରୁ ପାଣି ଶୁଖି ନଥିବାରୁ ପାଚିଲା ଧାନ କଟାଯାଇ ପାରୁନାହିଁ । ସେପଟେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ମତ୍ସ୍ୟଜୀବୀ ବାତ୍ୟା ଖବର ଶୁଣି ଡଙ୍ଗା, ଜାଲ ଓ ମେସିନକୁ ସୁରକ୍ଷିତ ସ୍ଥାନକୁ ନେଇ ଆସୁଛନ୍ତି ।