କନକ ବ୍ୟୁରୋ : ପଶ୍ଚିମବଙ୍ଗର କୋଇଲା ଦୁର୍ନୀତି ଏବେ ମମତାଙ୍କ ପିଛା ଛାଡୁନି । ପ୍ରଥମେ ପୁତୁରା ଅଭିଷେକ ବାନାର୍ଜୀ ଏହି ମାମଲାରେ ଛନ୍ଦି ହୋଇ ରହିଥିବା ବେଳେ ଏବେ ମମତାଙ୍କ ସରକାରରେ ଆଇନମନ୍ତ୍ରୀ ଥିବା ମଲୟ ଘଟକ ବି ସିବିଆଇର ସ୍କାନରକୁ ଆସିଛନ୍ତି । ଆସନସୋଲ କୋଲଫିଲ୍ଡ ଲିମିଟେଡରୁ ଅବୈଧ ଭାବେ କୋଇଲା ଚୋରୀ ଅଭିଯୋଗରେ ଆଜି ସିବିଆଇ ପକ୍ଷରୁ ମଲୟ ଘଟକଙ୍କର ବିଭିନ୍ନ ଠିକଣାରେ ଚଢାଉ କରାଯାଇଛି । ସୂଚନା ମୁତାବକ ୨୦୨୦ ମସିହାରେ ସିିବିଆଇ ପକ୍ଷରୁ ସଂପୃକ୍ତ ମାମଲାରେ ଅନୁପ ମାଞ୍ଝୀ ଓରଫ ଲାଲା, ଇସିଏଲର ମହାପ୍ରବନ୍ଧକ ଅମିତ କୁମାର ଧର, ଜୟେଶ ଚନ୍ଦ୍ର ରାୟ, ଇସିଏଲର ସୁରକ୍ଷା ପ୍ରମୁଖ ତନ୍ମୟ ଦାସ, କୁନୁସ୍ତରୀୟା କ୍ଷେତ୍ରର ସୁରକ୍ଷା ନିରୀକ୍ଷକ ଧନଞ୍ଜୟ ରାୟ ଓ କାଜୋର କ୍ଷେତ୍ରର ସୁରକ୍ଷା ପ୍ରଭାରୀ ଦେବାଶିଷ ମୁଖାର୍ଜୀଙ୍କ ନାମରେ ମାମଲା ରୁଜୁ କରିଥିଲା ।

Advertisment

ଏସବୁ ଭିତରେ ଆଜି ସିବିଆଇ ପକ୍ଷରୁ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଆସନସୋଲରେ ମଲୟ ଘଟକଙ୍କର ଥିବା ୩ ଟି କୋଠା, କୋଲକତା ଲେକ ଗାର୍ଡେନ ଠାରେ ଗୋଟିଏ କୋଠା ଉପରେ ଚଢାଉ କରିଛି । ଏନେଇ ଜଣେ ସିବିଆଇ ଅଧିକାରୀଙ୍କ କହିବା ମୁତାବକ କୋଇଲା ଚୋରା ଚାଲାଣ ମାମଲାରେ ଆଇନମନ୍ତ୍ରୀ ମଲୟ ଘଟକଙ୍କର ନାମ ସାମ୍ନାକୁ ଆସିବା ପରେ ଏଭଳି ଚଢାଉ ଜାରି ରହିଛି  । ସେପଟେ ଚଢାଉ ବେଳେ ମଲୟ ଘଟକ କୌଣସି ଘରେ ନଥିବାର କଥା ସିବିଆଇ ଅଧିକାରୀ ଜଣଙ୍କ କହିଛନ୍ତି ।