ଏହି ରାଜ୍ୟ ସରକାର ଦେଲେ ବଡ ନିର୍ଦ୍ଦେଶ, ଧର୍ମସ୍ଥଳରୁ ଓହ୍ଲାଇ ଦିଆଯାଇଥିବା ଲାଉଡସ୍ପିକର ସ୍କୁଲରେ ଲଗାଅ

335

କନକ ବ୍ୟୁରୋ : ଦେଶରେ ଏବେ ମନ୍ଦିର ଓ ମସଜିଦକୁ ନେଇ ବିବାଦ ଜୋର ଧରିଛି । ଏହି କ୍ରମରେ ଉତ୍ତର ପ୍ରଦେଶ ସରକାର ରାଜ୍ୟ ଶିକ୍ଷା ବିଭାଗକୁ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କି ରାଜ୍ୟର ଧର୍ମସ୍ଥଳୀଗୁଡିକରୁ ଓହ୍ଲାଇ ଦିଆଯାଇଥିବା ଲାଉଡସ୍ପିକରଗୁଡିକୁ ସ୍କୁଲରେ ଲଗାଯାଉ ।

ଅନ୍ୟପଟେ ଏବେ ଯଦି କୌଣସି ଧର୍ମସ୍ଥଳୀରେ ଲାଉଡସ୍ପିକର ଶବ୍ଦକୁ ନେଇ କିଛି ଅଭିଯୋଗ ଆସେ ତେବେ ସ୍ଥାନୀୟ ପୋଲିସ ଓ ଉପଜିଲ୍ଲାପାଳଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
କେବଳ ସେତିକି ନୁହେଁ ରାଜ୍ୟର ଅବୈଧ ଭାବେ କରାଯାଇଥିବା ଗାଡି ଷ୍ଟାଣ୍ଡଗୁଡିକୁ ବି ତୁରନ୍ତ ହଟାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସେ କହିଛନ୍ତି କି, ଏଭଳି ଗାଡି ଷ୍ଟାଣ୍ଡଗୁଡିକୁ ୪୮ ଘଂଟା ମଧ୍ୟରେ ଉଠାଇ ଦିଆନଗଲେ ବିଭାଗୀୟ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ତୁରନ୍ତ ରାଜ୍ୟରେ ସ୍ଥାୟୀ ଓ ବୈଧ ଗାଡି ଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ସଡକ ସୁରକ୍ଷା ଓ ଯାତାୟତ ନିୟମ ଉପରେ ବି କଠୋର ହୋଇଛନ୍ତି ଯୋଗୀ ସରକାର । ସେ କହିଛନ୍ତି କି ସ୍କୁଲ ଓ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କୁ ଯାତାୟତ ନିୟମ ଓ ସଡକ ସୁରକ୍ଷା ନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ।