ଉତ୍ତର ପ୍ରଦେଶରେ କୃଷକଙ୍କୁ ଯୋଗୀ ସରକାରଙ୍କ ଉପହାର, ୫୦ ପ୍ରତିଶତ କମ ହେଲା ବିଜୁଳି ବିଲ

104

କନକ ବ୍ୟୁରୋ : ନୂଆବର୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୃଷକମାନଙ୍କୁ ବଡ ଉପହାର ଦେଇଛନ୍ତି । ଚଳିତ ମାସ ଗ୍ରାମୀଣ କ୍ଷେତ୍ରରେ ଚାଷୀମାନେ ଚାଷ କ୍ଷେତରେ ବ୍ୟବହାର କରୁଥିବା ବିଜୁଳି ଓ ସହରୀ ଅଞ୍ଚଳରେ ନଳକୂପରେ ବ୍ୟବହାର ହେଉଥିବା ବିଜୁଳିର ବିଲ ଅଧା ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ବିଜୁଳି ବିଲ ଛାଡ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ଏହି ନୂଆ ବ୍ୟବସ୍ଥା ପାଇଁ ଉତ୍ତର ପ୍ରଦେଶ ପାୱାର କର୍ପୋରେସନକୁ ବର୍ଷକୁ ପାଖା ପାଖି ୧ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡିବ । ଏନେଇ ରାଜ୍ୟ ସରକାର ୟୁପିପିସିଏଲକୁ ଅନୁଦାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି ।

କହିରଖୁ କି ସରକାରୀ ଅନୁଦାନ ମିଳିବା ପରେ ବିଜୁଳି ଦରର ପରିବର୍ତ୍ତନ ହେବ । ପ୍ରତିବର୍ଷ ନୂଆଦର ମୁତାବକ ଗ୍ରାମୀଣ କ୍ଷେତ୍ରରେ ଚାଷୀମାନଙ୍କୁ ବିଜୁଳି ବିଲର ଅଧା ଦେବାକୁ ପଡି ବ । ବର୍ତମାନ ଚାଷୀମାନେ ୟୁନିଟ ପ୍ରତି ୨ ଟଙ୍କା ଦେଉଥିବା ବେଳେ ଏବେ ତାଙ୍କୁ ସମାନ ପରିମାଣର ବିଜୁଳି ପାଇଁ ୟୁନିଟ ପ୍ରତି ୧ ଟଙ୍କା ଦେବାକୁ ପଡିବ ।

ସେହିଭଳି ବିଦ୍ୟୁତ୍ ଚାଳିତ ପମ୍ପଗୁଡିକ ଯାହା ୧.୬୫ ଟଙ୍କା ପ୍ରତି ୟୁନିଟ ଦର ଚାର୍ଜ ଲାଗୁଥିଲା ଏବେ କୃଷକମାନେ ୟୁନିଟ ପ୍ରତି ୦.୮୩ ଟଙ୍କା ଦେବେ । ସେହିଭଳି ସହରାଞ୍ଚଳରେ ବିଦ୍ୟୁତ ଚାଳିତ ନଳକୂପ କନେକସନ ପାଇଁ ଗ୍ରାହକଙ୍କୁ ୟୁନିଟ ପ୍ରତି ୬ ଟଙ୍କା ଦେବାକୁ ପଡୁ୍ଥିବା ବେଳେ ଏବେ ସେମାନଙ୍କୁ ପ୍ରତି ୟୁନିଟକୁ ୩ ଟଙ୍କା ଦେବାକୁ ପଡିବ । ମୁଖ୍ୟମନ୍ତ୍ରୀଙ୍କର ଏଭଳି ଘୋଷଣା ଦ୍ୱାରା ରାଜ୍ୟରେ ପ୍ରାୟ ୧୩ ଲକ୍ଷ ଉପଭୋକ୍ତା ଲାଭବାନ ହେବେ ।
ଏହାକୁ ନେଇ ବିଜେପିର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂ ଟ୍ୱିଟ୍ କରି କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଐତିହାସିକ ନିଷ୍ପତ୍ତି । ଏହାଦ୍ୱାରା ରାଜ୍ୟର ଚାଷୀମାନେ ନିଶ୍ଚିତ ଭାବେ ଉପକୃତ ହେବେ ।