କାହାର ହେବ ରାଜ୍ ତିଲକ୍ ? ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ, ନିଷ୍ପତ୍ତି ନେବେ ରାହୁଲ ।

106

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ଆସିବା ପରେ ଏବେ ସରକାର ଗଠନ ପ୍ରକିୟା ଆରମ୍ଭ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି ଜଣାଇଛି । ଏହି ସ୍ୱାଭାବିକ ପ୍ରକ୍ରିୟା ଭିତରେ ଦ୍ୱନ୍ଦ୍ୱ ଉପୁଜିଛି ମୁଖ୍ୟମନ୍ତ୍ରୀ ଆସନକୁ ନେଇ । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ । ରାଜସ୍ଥାନରେ ଦୁଇ ଆଶାୟୀ । ଜଣେ ଦଳର ବରିଷ୍ଠ ନେତା ଅଶୋକ ଗେହଲଟ୍, ଆଉ ଜଣେ ଯୁବ ଚେହେରା ସଚିନ ପାଇଲଟ୍ । ମଧ୍ୟପ୍ରଦେଶରେ ବି ସମାନ ସ୍ଥିତି । କମଲନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ । ଉଭୟ ନେତାଙ୍କ ସମକ୍ଷରେ ଆସୁଛି ନେତା ଓ କର୍ମୀଙ୍କ ଯୁକ୍ତି । ଏସବୁ ଭିତରେ ହାଇକମାଣ୍ଡଙ୍କ ନିଷ୍ପତିକୁ ଅପେକ୍ଷା ।

ନିର୍ବାଚନ ଫଳାଫଳ ପରେ ବଦଳି ଯାଇଛି ରାଜନୀତିର ରଙ୍ଗ । ଆଉ ପରିବର୍ତିତ ଜନାଦେଶ ଅଧାରରେ ନୂଆ ଉର୍ଜ୍ଜା ନେଇ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛି କଂଗ୍ରେସ । ଗୋଟିଏ ପଟେ ବିଧାୟକଙ୍କୁ ନେଇ ନେତା ଚୟନ ଅନ୍ୟପଟେ ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ । ଉଭୟ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସମାନ ଉଦ୍ୟମ । ହେଲେ ଏହି ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବ କିଏ ତାକୁ ନେଇ ଚର୍ଚ୍ଚା ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜସ୍ଥାନରେ ଦୁଇ ଆଶାୟୀ । ଜଣେ ଦଳର ବରିଷ୍ଠ ନେତା ଅଶୋକ ଗେହଲଟ୍, ଆଉ ଜଣେ ଯୁବ ଚେହେରା ସଚିନ ପାଇଲଟ୍ । ମଧ୍ୟପ୍ରଦେଶରେ ବି କମଲନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲେ ସୁଦ୍ଧା ପୂର୍ଣ୍ଣ ବହୁମତ ନାହିଁ । ଏସପି ଏବଂ ବିଏସପିର ସହଯୋଗ ନେଇ ସରକାର ଗଠନ କରୁଛି କଂଗ୍ରେସ । ତେଣୁ ଏଭଳି ସ୍ଥିତିରେ ସହଯୋଗୀ ଦଳଙ୍କ ସନ୍ତୁଳନ ବଜାୟ ରଖିବା କ୍ଷେତ୍ରରେ ଅନୁଭବି ନେତା କମଲନାଥ ନେଇପାରନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏପଟେ ଯୁବ ଚେହେରା ଭାବେ ସଚିନ ପାଇଲଟଙ୍କୁ ରାଜ୍ୟର ମଙ୍ଗ ଦିଆଗଲେ ୨୦୧୯ରେ କଂଗ୍ରେସ ପାଇଁ ଲଢ଼େଇ ସହଜ ହେବ ବୋଲି ଅନେକଙ୍କ ମତ ।

ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ବି ଯୁବ ନେତୃତ୍ୱ ଏବଂ ଅଭିଜ୍ଞ ନେତୃତ୍ୱ ମଧ୍ୟରୁ କାହାକୁ ରାଜ୍ୟ ସମ୍ଭାଳିବାକୁ ଦିଆଯିବ ତାକୁ ନେଇ ଝକାପଞ୍ଝା ଲାଗି ରହିଛି । ନିର୍ବାଚନ ଜିତିବାରେ ଉଭୟ ନେତା ନିଜ ନିଜ ଢ଼ଙ୍ଗରେ ଆପ୍ରାଣ ଉଦ୍ୟମ କରିଥିଲେ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍  । ଆଉ ଏସବୁ ଭିତରେ ଚୁଡାନ୍ତ ନିଷ୍ପତି ଦଳୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ । ଉଭୟ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଯାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବ, ତାଙ୍କ ନେତୃତ୍ୱରେ ହିଁ କଂଗ୍ରେସ ୨୦୧୯ ନିର୍ବାଚନ ଲଢ଼ିବ । ତେଣୁ ମୁଖ୍ୟମନ୍ତ୍ରୀ ଚୟନ ହାଇକମାଣ୍ଡଙ୍କ ପାଇଁ ଏବେ ଏକ ବଡ ଚ୍ୟାଲେଂଜ ।