ରାହୁଲଙ୍କୁ ରକ୍ତର ଚିଠି ! ପାଇଲଟଙ୍କ ପାଇଁ ଯୁକ୍ତି ବାଢିଲେ କଂଗ୍ରେସ କର୍ମୀ ।

401

ରାଜସ୍ଥାନରେ ରାଜେଙ୍କୁ ହଟାଇ ରାଜ କରିଛି କଂଗ୍ରେସ । ପୁଣି ଥରେ ରାଜସ୍ଥାନର ରାଜ ସିଂହାସନ କଂଗ୍ରେସ କବଜାକୁ ଆସିଛି । ରାଜସ୍ଥାନ ନିର୍ବାଚନରେ ବିଜୟ ହାସଲ କରିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଯେତିକି ଖୁସି ଦେଇଛି, ତାଠାରୁ ଅଧିକ ଦ୍ୱନ୍ଦରେ ପକାଇଛି । କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ? ତାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଅଙ୍କକଷା । ଦୁଇ ପ୍ରମୁଖ ନେତା ସଚିନ୍ ପାଇଲଟ୍ ଏବଂ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ଏବଂ ଏହି ଦୁଇ ନେତାଙ୍କ ସମର୍ଥକମାନେ ମଧ୍ୟ ନିଜ ପସନ୍ଦର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା, କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ ?

ଫଳାଫଳ ହେବା ପରେ ଆହୁରି ସରଗରମ ହୋଇଯାଇଛି ରାଜସ୍ଥାନ ରାଜନୀତି । ମୁଖ୍ୟମନ୍ତ୍ରୀ ଘୋଷଣା ହେବାରେ ଯେତିକି ବିଳମ୍ବ ପରିଲକ୍ଷିତ ହେଉଛି, ସମର୍ଥକ ମାନଙ୍କ ଧୈର୍ଯ୍ୟ ତାର ଉତ୍ତର ଦେଉଛି । ଏହାରି ମଧ୍ୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସଚିନ ପାଇଲଟଙ୍କ ଜଣେ ସମର୍ଥକ ରକ୍ତର ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି । ସବୁଠାରୁ ବଡ କଥା ହେଉଛି, ସେ ରକ୍ତରେ ଏହି ଚିଠି ଲେଖିଛନ୍ତି ।

ରାହୁଲ ଗାନ୍ଧିଙ୍କୁ ସମ୍ବୋଧିତ କରାଯାଇଥିବା ଏହି ଚିଠିରେ, ପାଇଲଟଙ୍କ ସମର୍ଥକ ଲେଖିଛନ୍ତି ଯେ, ଆମେ ସମସ୍ତ ରାଜସ୍ଥାନର ଯୁବବର୍ଗଙ୍କ ପକ୍ଷରୁ ବିନମ୍ର ନିବେଦନ କରି କହୁଛୁ କି, ରାଜସ୍ଥାନରେ ବିଗତ ୫ ବର୍ଷରେ ସଚିନ ପାଇଲଟ୍ କଠିନ ପରିଶ୍ରମ କରି ସଂଘର୍ଷ କରିଛନ୍ତି । ତାଙ୍କ ସଂଘର୍ଷ ଆମେ ବେକାର ହେବା ପାଇଁ ଦେବୁ ନାହିଁ । ଆମ ସମସ୍ତଙ୍କ ଦାବି ଆପଣ ପୂରଣ କରନ୍ତୁ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଏହି ଚିଠି ଲେଖାଯାଇଛି । ସୂଚନା ଅନୁଯାୟୀ, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଜୋରଦାର ଅଙ୍କକଷା ଚାଲିଛି । ତେବେ ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ଏହାର ନିଷ୍ପତ୍ତି ନେବେ ।