ବିହାରକୁ ହାତ ବଢାଇଲା ଓଡିଶା: ବନ୍ୟା ପାଇଁ ବିହାରକୁ ସବୁ ସାହାଯ୍ୟ କରିବାକୁ ଓଡିଶା ପ୍ରସ୍ତୁତ ବୋଲି କହିଲେ ନବୀନ

520

କନକ ବ୍ୟୁରୋ: ବିଗତ କିଛି ଦିନ ହେବ ବିହାରରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ପରିସ୍ଥିତି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିହାରରେ ବନ୍ୟା ପରିସ୍ଥିତି କେମିତି ଅଛି ସେ ନେଇ କଥା ହୋଇଛନ୍ତି ନବୀନ । ତେବେ ବିହାରର ଏଭଳି ସ୍ଥିତିରେ ଓଡିଶା ସବୁ ପ୍ରକାର ସହାୟତା ଯୋଗାଇବା ପାଇଁ ପ୍ରସ୍ତୁତ ଅଛି ବୋଲି ନବୀନ କହିଛନ୍ତି ।

ସୂଚନାଯୋଗ୍ୟ ପ୍ରାୟ ଏକ ସପ୍ତାହ ହେବ ବିହାରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଦେଖାଯାଇଛି। ବନ୍ୟା ଯୋଗୁଁ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟା ପ୍ରଭାବିତ ଲକ୍ଷାଧିକ ଲୋକଙ୍କୁ ଉଦ୍ଧାରକାରୀ ଟିମ୍‌ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ନିୟୋଜିତ ହୋଇଛନ୍ତି। ଚାରି ଦିନ ହେବ ଉଦ୍ଧାର ପ୍ରକ୍ରିୟାକୁ ତୀବ୍ର କରି ଦିଆଯାଇଛି। ରାଜଧାନୀ ପାଟଣା, ବୈଶାଳୀ ଓ ଖଗରିଆ ଜିଲ୍ଲାରେ ଅଧିକାଂଶ ଲୋକେ ପ୍ରଭାବିତ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଗୁରୁବାର ଓ ଶୁକ୍ରବାର ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛନ୍ତି।